ଜୟପୁର: ମାଆର ମୃତ୍ୟୁ ସହି ପାରିଲେନି ପୁଅ। ହୃଦ୍ଘାତରେ ଚାଲିଗଲା ୪୫ ବର୍ଷୀୟ ପୁଅର ଜୀବନ। ଗୋଟିଏ ଘରୁ ମାଆ ସହ ଏକାଠି ଉଠିଲା ପୁଅର କୋକେଇ। ଏଭଳି ଘଟଣା ଜୟପୁର ପରିଛା ସାହିରେ ଘଟିଛି। ଏହାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ଏମତି ମୃତ୍ୟୁ ଆସିବ ବୋଲି କିଏ ବା ଭାବିଥିଲା। ସବୁଦିନ ପରି ସକାଳୁ ସକାଳୁ ଜମିକୁ ବାହାରି ଯାଇଥିଲେ ଜୟପୁର ସୁନାରୀ ସାହିର ୫୨ ବର୍ଷୀୟ ଏସ ରବି। ଜମିରୁ ଫେରି ମାଆକୁ ଡାକିଥିଲା। ହେଲେ ସେ ଉତ୍ତର ନଦେବାରୁ ପାଖ ପଡ଼ୋଶୀଙ୍କୁ ଡାକିଥିଲେ। ପଡ଼ୋଶୀ ଘର ଭିତରକୁ ଯାଇ ଦେଖିବା ବେଳକୁ ଖଟଉପରେ ଶୋଇଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ। ଏହା ଜାଣିବା ପରେ ମାଆକୁ କୋଳରେ ଧରି ବିକଳରେ କାନ୍ଦି ଉଠିଥିଲେ ରବି। ଆଉ ଏହି ଦୁଃଖ ତାଙ୍କୁ ଏତେ ପରିମାଣରେ ମ୍ରିୟମାଣ କରିଥିଲା ଯେ, କାନ୍ଦି କାନ୍ଦି ମାଆ ନିକଟରେ ସେ ନିଜେ ଟଳି ପଡ଼ିଥିଲେ।
ଜୟପୁର ସୁନାରୀ ସାହିରେ ରହୁଥିଲେ ୭୮ ବର୍ଷୀୟ ମାଆ ଏସ ସାବିତ୍ରୀ, ୫୨ ବର୍ଷୀୟ ପୁଅ ଏସ ରବି ଓ ଝିଅ ଏସ ସୁକାନ୍ତି। ପରିବାର ଅତ୍ଯନ୍ତ ଗରିବ। ଜମିବାଡ଼ି କାମ କରି ପରିବାର ଚଳାଉଥିଲେ ରବି। ହେଲେ ପରିବାରର ଦୁଇ ଦୁଇଜଣଙ୍କ ମୃତ୍ଯୁ ପରେ ଏବେ ଝିଅ ଏକା ରହିଯାଇଛି। ଅଞ୍ଚଳରେ ଏପରି ଏକ ଅଭାବନୀୟ ଘଟଣା ପରେ ଶୋକାକୂଳ ପରିବବେଶ ସୃଷ୍ଟି ହୋଇଥିବାବେଳେ ସରକାରୀ ଯୋଜନାରେ ଯାହା ବ୍ଯବସ୍ଥା ରହିଛି ସେନେଇ ସହାୟତା ଯୋଗାଇ ଦେବାକୁ ଉପଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି।
ଅଧିକ ପଢନ୍ତୁ: ଖବର ପାଲଟିଲେ ଖବରଦାତା; ବସ୍ ଧକ୍କାରେ ଚାଲିଗଲା ସାମ୍ବାଦିକାଙ୍କ ଜୀବନ