ଭୁବନେଶ୍ୱର: ରାଜ୍ୟର ୩ଟି ଜିଲ୍ଲାରେ ହେବ ନୂଆ ଡ୍ରାଇଭିଂ ଟ୍ରେନିଂ ସେଣ୍ଟର। ସଡକ ଦୁର୍ଘଟଣାକୁ ହ୍ରାସ କରିବା ପାଇଁ ଓଡ଼ିଶା ସରକାର ଡ୍ରାଇଭିଂ ତାଲିମ ପ୍ରତିଷ୍ଠାନ (IDTR) ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ନୂଆ ପ୍ରତ୍ୟେକ କେନ୍ଦ୍ର ପାଇଁ ପ୍ରାୟ ୨୫ କୋଟି ଟଙ୍କା ଖର୍ଚ୍ଚ ହେବ। ତେବେ ଏହି ୩ଟି ଜିଲ୍ଲା ହେଉଛି ଅନୁଗୁଳ, ସମ୍ବଲପୁର ଓ କୋରାପୁଟ। ବାଣିଜ୍ୟ ଓ ପରିବହନ ବିଭାଗ ଏହି ପ୍ରକଳ୍ପଗୁଡ଼ିକୁ ଜିଲା ଖଣିଜ ପ୍ରତିଷ୍ଠାନ (DMF) ନିୟମ ଅନୁଯାୟୀ ଅନ୍ତର୍ଭୁକ୍ତ କରିବାକୁ ତିନୋଟି ଜିଲାର କଲେକ୍ଟରଙ୍କୁ ନିର୍ଦ୍ଦେଶ ଦେଇଛି। ଏହାସହ ପ୍ରକଳ୍ପ ପାଇଁ DMF ପାଣ୍ଠିରୁ ଅର୍ଥ ବ୍ୟୟ ଅନୁମୋଦନ ପାଇଁ ଯୋଜନା ଓ ସମନ୍ୱୟ ବିଭାଗକୁ ପ୍ରସ୍ତାବ ଦିଆଯାଇଛି।
ଓଡ଼ିଶାରେ ବର୍ତ୍ତମାନ ଯାଜପୁର, ଗଞ୍ଜାମ, କେନ୍ଦୁଝର ଓ ସୁନ୍ଦରଗଡ଼ରେ ଚାରୋଟି IDTR କାର୍ଯ୍ୟ କରୁଛି, ଯେଉଁଠାରୁ ତାଲିମପ୍ରାପ୍ତ ଚାଳକମାନେ ଦୁର୍ଘଟଣାମୁକ୍ତ ରେକର୍ଡ ରଖିଛନ୍ତି। ନୂଆ କେନ୍ଦ୍ର ସ୍ଥାପନ ସହ ରାଜ୍ୟରେ ରାସ୍ତା ସୁରକ୍ଷା ଓ ପେଶାଦାର ଚାଳକ ତାଲିମ ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ। ପରିବହନ କମିଶନରଙ୍କୁ ଅନୁଗୁଳ, କୋରାପୁଟ ଓ ସମ୍ବଲପୁରର DMF ଟ୍ରଷ୍ଟ ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (DPR) ପ୍ରସ୍ତୁତ କରିବାକୁ କୁହାଯାଇଛି। କେନ୍ଦ୍ର ସରକାରଙ୍କ ଯୋଜନା ଅନୁଯାୟୀ, ପ୍ରତ୍ୟେକ IDTR ପାଇଁ ୧୭.୨୫ କୋଟି ଟଙ୍କା ଆର୍ଥିକ ସହାୟତା ମିଳିବ, ବାକି ୭-୮ କୋଟି ଟଙ୍କା DMF ପାଣ୍ଠିରୁ ମିଳିବ।