କେନ୍ଦ୍ରାପଡା: ବାପା ସାକ୍ଷୀ ଦେବାରୁ କୋର୍ଟ ପରିସରରେ ଜୀବନ ହରାଇବାକୁ ପ୍ରୟାସ କଲେ ନାବାଳିକା। ଏକ ପୋକ୍ସୋ ମାମଲାରେ ବାପା କୋର୍ଟରେ ସାକ୍ଷୀ ଦେଉଥିଲେ, ସେହି ସମୟରେ ଝିଅ କୋର୍ଟ ପରିସରରେ ଥିବା ଶୌଚାଳୟରେ ବିଷ ପିଇ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ମେଡିକାଲକୁ ନିଆଯାଇଛି । କେନ୍ଦ୍ରାପଡା ଜିଲ୍ଲା ପୋକ୍ସୋ କୋର୍ଟରେ ଏଭଳି ଘଟଣା ଦେଖିବାକୁ ମିଳିଛି ।
ସୂଚନା ମୁତାବିକ, ଶୁକ୍ରବାର କେନ୍ଦ୍ରାପଡ଼ା ପୋକ୍ସୋ କୋର୍ଟରେ ଏକ ମାମଲାର ଶୁଣାଣୀ ହେଉଥିଲେ । ଜମ୍ବୁ ମେରାଇନ ଥାନା ଅଞ୍ଚଳର ଜଣେ ନାବାଳିକା ଜଣଙ୍କ ଭିନ୍ନ ସମ୍ପ୍ରଦାୟର ଜଣେ ପୁଅ ସହିତ ପ୍ରେମ ବିବାହ କରିଥିଲେ । ପରେ ଜମ୍ବୁ ସାମୁ୍ରଦିକ ଥାନାରେ ଏନେଇ ଏତଲା ଦିଆଯିବା ପରେ ପୁଲିସ ଦୁହିଁଙ୍କୁ ଉଦ୍ଧାର କରିଥିଲା । ନାବାଳିକା ପୀଡିତା ଚାହୁଁନଥିଲେ ତାଙ୍କ ସ୍ୱାମୀଙ୍କ ବିରୁଦ୍ଧରେ କେହି ନକ୍ରରାତ୍ମକ ବୟାନ ଦିଅନ୍ତୁ, କାରଣ ସେ ନିଜ ପ୍ରେମିକ ସହ ରହିବାକୁ ଚାହୁଁଥିଲେ ।
ଉକ୍ତ ଯୁବକ ବିରୁଦ୍ଧରେ କୌଣସି ସାକ୍ଷୀ ଦେବେନାହିଁ ବୋଲି ନାବାଳିକାଙ୍କୁ ପରିବାର ଲୋକେ ପ୍ରତିଶୃତି ଦେଇଥିଲେ । ଏପରିକି ସେହି ପୁଅ ସହ ବିବାହ କରାଇବେ ବୋଲି ମଧ୍ୟ କହିଥିଲେ । କିନ୍ତୁ କୋର୍ଟ ପହଞ୍ଚି ନାବାଳିକାଙ୍କ ପ୍ରେମିକ ବିରୁଦ୍ଧରେ ସାକ୍ଷୀ ଦେବାରୁ ନାବାଳିକା ଜଣଙ୍କ କୋର୍ଟ ପରିସରରେ ହିଁ ବିଷ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ସ୍ଵାସ୍ଥ୍ୟ ଅବସ୍ଥା ସଂକଟାପନ୍ନ ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।