ଚିଲିକା : ରାଜ୍ୟରେ ଶନିବାର ଠାରୁ ଆରମ୍ଭ ହୋଇଛି ପକ୍ଷୀ ଗଣନା। ଏହି ପରିପ୍ରେକ୍ଷୀରେ ଚିଲିକାରେ ମଧ୍ଯ ପକ୍ଷୀ ଗଣନା ଆରମ୍ଭ ହୋଇଛି। ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ଚିଲିକାକୁ ଆଗମନ କରିଥିବା ବିଦେଶାଗତ ଏବଂ ଦେଶୀୟ ପକ୍ଷୀଙ୍କ ଗଣନା ଚାଲିଛି। ଏଥିରେ ଅବସରପ୍ରାପ୍ତ ଜଙ୍ଗଲ ବିଭାଗ ଅଧିକାରୀ, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ କର୍ମଚାରୀ, ଓୟୁଏଟିର ଅଧାପକ, ପ୍ରଫେସର, ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟ ଛାତ୍ରୀଛାତ୍ର, ଶିକ୍ଷାବିତ ଏବଂ ଛାତ୍ରୀଛାତ୍ର ଓ ଅଣ ସରକାରୀ ସଂସ୍ଥା, ବମ୍ବେ ନାଚ୍ୟୁରାଲ ହିଷ୍ଟ୍ରି ଅଫ ସୋସାଇଟି ର ବରିଷ୍ଠ ଗବେଷକ, ବିଶେଷଜ୍ଞ ଗଣନାକାରୀ ଯୋଗଦେଇଛନ୍ତି।
ସୂଚନା ଅନୁଯାୟୀ ସକାଳ ୬ଟା ରୁ ପକ୍ଷୀ ଗଣନା ଆରମ୍ଭ ହୋଇଥିଲା। ଚିଲିକା ବନ୍ୟପ୍ରାଣୀ ଡିଭିଜନ ଅନ୍ତର୍ଗତ ସାତପଡ଼ା, ରମ୍ଭା, ବାଲୁଗାଁ, ଟାଙ୍ଗୀ ଏବଂ ଚିଲିକା ରେଞ୍ଜରେ ୨୧ ଟି ଟିମ ମଧ୍ୟରୁ ୧୯ଟି ଟିମ ଜଳପଥ ରେ ଓ ଅନ୍ୟ୨ଟି ଟିମ ସ୍ଥଳ ଭାଗରେ ପକ୍ଷୀଗଣନାରେ ନିୟୋଜିତ ହୋଇଛନ୍ତି । ପକ୍ଷୀ ଗଣନା ପାଇଁ ଚିଲିକାକୁ ୫ଟି ଜୋନରେ ବିଭକ୍ତ କରାଯାଇଛି l
ଯେମିତି କି ଟାଙ୍ଗି ଜୋନରେ ୮ଟି ଟଟିମ, ବାଲୁଗାଁରେ ୬ ଟି ଟିମ , ସାତପଡ଼ାରେ ୪ଟି ଟିମ, ରମ୍ଭା ରେ ୨ ଟିମ, ଚିଲିକାରେ ଗୋଟିଏ ଟିମ ନିୟୋଜିତ ରହିଥିଲେ। ଏଥିରେ ମୋଟ ୧୩୦ ଜଣ ଏହି ଗଣନାରେ ଭାଗ ନେଇଛନ୍ତି l ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ଗଣନା କାର୍ଯ୍ୟରେ ଜିପିଏସ,ବାଇନାକୁଲାର,ସ୍ପୋଟିଂ ସ୍କୋପ,ୱାକିଟକି,କ୍ୟାମେରା, ନୋଟ ବୁକ ଆଦି ବ୍ୟବହାର କରାଯାଇଛି lପକ୍ଷୀ ଗଣନା ସମୟରେ ଚିଲିକାରେ ମସ୍ୟଜୀବି ଓ ଯାତ୍ରୀବାହୀ ଡଙ୍ଗା ଚଳାଚଳ ସମ୍ପୂର୍ଣ୍ଣ ନିଷେଦ୍ଧ କରାଯାଇଛି l
ସୂଚନା ଥାଉ କି ଗତ ବର୍ଷ ଚିଲିକାରେ ସମୁଦାୟ ୧୮୭ଟି ପ୍ରଜାତିର ୧୧ ଲକ୍ଷ ୩୭ ହଜାର ୭୫୯ଟି ଦେଶୀ ଓ ବିଦେଶୀ ପକ୍ଷୀ ଚିଲିକାକୁ ଆସିଥିଲେ l ସେଥିମଧ୍ୟରୁ ୧୦୮ ଟି ବିଦେଶାଗତ ପ୍ରଜାତିର ପକ୍ଷୀ ୧୦ ଲକ୍ଷ ୯୮ ହଜାର ୮୧୩ ଟି ଓ ୭୯ ଟି ସ୍ଥାନୀୟ ପ୍ରଜାତିର ପକ୍ଷୀ ( ଦେଶୀ ପକ୍ଷୀ ) ସେମାନଙ୍କ ସଂଖ୍ୟା ୩୮ ହଜାର ୯୪୬ଟି ପକ୍ଷୀ ଆସିଥିବା ସରକାରୀ ରେକର୍ଡ ହୋଇଛି l