ସମ୍ବଲପୁର : ଚଳିତ ଜାନୁଆରୀ ୧୨ ତାରିଖରୁ ବୁର୍ଲା ସହରର ବିଜୁ ପଟ୍ଟନାୟକ ଷ୍ଟାଡିୟମରେ ଷଷ୍ଠ ବୁର୍ଲା କପ୍ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ବୁର୍ଲା ଆଥେଲେଟିକ ଆସୋସିଏସନ୍ ପକ୍ଷରୁ ଆୟୋଜିତ ପ୍ରତିଯୋଗିତାରେ ସୋନପୁର, ସମ୍ବଲପୁର, ବରଗଡ଼, ଭୁବନେଶ୍ୱର, ସୁନ୍ଦରଗଡ଼, ରାଉରକେଲା ରୁ ମୋଟ୍ ୮ ଗୋଟି ଫୁଟବଲ ଦଳ ଅଂଶଗ୍ରହଣ କରିଥିଲେ।
ଶନିବାର ବୁର୍ଲା କପ୍ ଫୁଟବଲ ୨୦୨୫ ଅବସରରେ ମହିଳା ଫୁଟବଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। କଟକ ନିତା ଅମ୍ବାନୀ ଫୁଟବଲ ଏକାଡେମୀ ଓ କେନ୍ଦୁଝର ତାରିଣୀ ଫୁଟବଲ ଏକାଡେମୀ ମଧ୍ୟରେ ଏକ ବନ୍ଧୁତ୍ବପୂର୍ଣ୍ଣ ମହିଳା ଫୁଟବଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଏଥିରେ କଟକ ନିତା ଅମ୍ବାନୀ ଫୁଟବଲ ଏକାଡେମୀ ୩-୦ ଗୋଲରେ କେନ୍ଦୁଝର ତାରିଣୀ ଫୁଟବଲ ଏକାଡେମୀକୁ ପରାସ୍ତ କରି ବିଜୟୀ ହୋଇଥିଲା।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ। ଏଥିରେ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ, ବୁର୍ଲା ଫୁଟବଲ କପ୍ ର ମୁଖ୍ୟ ପୁଷ୍ଠପୋଷକ ତଥା ବିଧାୟକ ଜୟନାରାୟଣ ମିଶ୍ର ଓ ସମ୍ବଲପୁର ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର ବରିଷ୍ଠ ଅଧିକାରୀ ମାନେ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଆଗାମୀ ଦିନରେ ଏହି ଷ୍ଟାଡିୟମର ଉନ୍ନତିକରଣ କାର୍ଯ୍ୟ କରାଯିବ। ଏଥିସହ ୨୦୩୬ରେ ଭାରତରେ ହେବାକୁ ଥିବା ଅଲମ୍ପିକ୍ସରେ ବୁର୍ଲା ସହରରୁ ଯେଭଳି ଖେଳାଳୀ ଅଂଶଗ୍ରହଣ କରିବେ ସେନେଇ ଖେଳାଳୀ ମାନେ ପ୍ରୟାସ କରିବାକୁ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଥିଲେ।