ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁଇ ଜଣଙ୍କ ମୃତ୍ୟୁ, ଜଣେ ଆହତ। ଏଭଳି ଅଭାବନୀୟ ଘଟଣା କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଅନ୍ତର୍ଗତ ନିକଟ ଡେରାକୁପା ଅଗ୍ରଗାମୀ ଅଫିସ ନିକଟରେ ଘଟିଛି। ଦୁଇ ବାଇକ୍ ମଧ୍ଯରେ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ନୂଆପଦର ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରବୀନ୍ଦ୍ର ଚନ୍ଦ୍ର ଦାଶଙ୍କ ମୃତ୍ୟୁ ହୋଇଥିଲା । ଗୋଛାପଡା ପଟୁ ଆସୁଥିବା ବାଇକ୍ ଚାଳକ ବିଶ୍ବମ୍ବର୍ କହଁର(୨୦)ଙ୍କ ମଧ୍ୟ ଜିଲ୍ଲା ମେଡ଼ିକାଲରେ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଆହତ ଯୁବକ ଦେବେନ୍ଦ୍ର କହଁର(୧୯)ଙ୍କୁ ଜିଲ୍ଲା ମେଡ଼ିକାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ ମୃତ ପ୍ରଧାନ ଶିକ୍ଷକଙ୍କ ଘର ଫୁଲବାଣୀ ହୋଇଥିବା ବେଳେ ଅନ୍ୟ ଦୁଇ ଯୁବକଙ୍କ ଘର ସଲାଗୁଡ଼ା ଗାଁରେ। ଦୁର୍ଘଟଣା ଏତେ ଭୟଙ୍କର ଥିଲାରେ କେଟିଏମ୍ ବାଇକଟି ଖଣ୍ଡ ଖଣ୍ଡ ହୋଇଛି ଓ ମୃତ ଆହତ ୨୦- ୨୫ ଫୁଟ୍ ଦୂରକୁ ଛିଟିକି ପଡ଼ିଥିଲେ। ହେଲମେଟ ପିନ୍ଧିଥିଲେ ମଧ୍ଯ ଶିକ୍ଷକ ଦାସଙ୍କ ମୃତ୍ୟୁ ହୋଇଛି। ତାଙ୍କର ୧୭ ଓ ୭ ବର୍ଷର ଦୁଇ ପୁଅ ଝିଅ ଅଛନ୍ତି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ୧୦୮ ଆମ୍ବୁଲାନ୍ସ ମାଧ୍ୟମରେ ମେଡିକାଲ ସ୍ଥାନାନ୍ତର କରିଥିଲେ। ଲୁଇସିଙ୍ଗ ରେ ଚାଲିଥିବା ପ୍ରଧାନ ଶିକ୍ଷକ ସମ୍ମିଳନୀରେ ଯୋଗ ଦେବାକୁ ଯାଉଥିଲେ । ତାଙ୍କର ଶେଷ ଦର୍ଶନ ପାଇଁ ଫୁଲବାଣୀ ଜିଲ୍ଲା ମେଡ଼ିକାଲରେ ଶହ ଶହ ଶିକ୍ଷକ ରୁଣ୍ଡ ହୋଇଥିଲେ । ସଲାଗୁଡା ପଞ୍ଚାୟତର ବିଜେପି ସରପଞ୍ଚ ରୋହିତ କହଁର ଓ ଅନ୍ୟ ସ୍ଥାନୀୟ ସ୍ବେଛାସେବୀ ଯୁବକ ମଧ୍ୟ ସହାୟତା କରିବା ସହିତ ମେଡ଼ିକାଲରେ ପହଂଚିଥିଲେ ।
ବେପରୁଆ ଦ୍ରୁତ ଗାଡିଚାଳନା ହିଁ ଦୁର୍ଘଟଣାର କାରଣ ବୋଲି ପୋଲିସ କହିଛି। ଗୋଛାପଡ଼ା ଥାନା ଏସ ଆଇ ଏସ କେ ଦଳେଇ ଓ ଅନ୍ୟ ପୋଲିସ କର୍ମଚାରୀ ଜିଲ୍ଲା ମେଡ଼ିକାଲରେ ପହଞ୍ଚି ପଞ୍ଚନାମା ଓ ତଦନ୍ତ ଜାରି ରଖିଛନ୍ତି । ଚେକିଂ ର ଅଭାବ, ମାଦକ ଦ୍ରବ୍ୟ ଓ ପାନୀୟ ସେବନ ସହିତ ଦୃତ ବେପରୁଆ ଗତି ଯୋଗୁଁ ବାରମ୍ବାର ଜିଲ୍ଲାରେ ଦୁର୍ଘଟଣା ଘଟୁଛି ବୋଲି ସମ୍ପର୍କୀୟ କହିଛନ୍ତି।