ପୁରୀ: ପୁରୀ ଗସ୍ତରେ ଆସିଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି ଥର୍ମାନ୍ ଶନମୁଗାରତ୍ନମ୍ । ଆଜି ସିଙ୍ଗାପୁର ରାଷ୍ଟ୍ରପତି ପୁରୀ ଗସ୍ତରେ ଆସି ଐତିହ୍ୟ ଗ୍ରାମ ରଘୁରାଜପୁର ସହ କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଛନ୍ତି। ନିଜ ପତ୍ନୀଙ୍କ ସହ କୋଣାର୍କ ମନ୍ଦିର ବୁଲି ଦେଖିଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି। ପ୍ରଥମେ IOCL ବ୍ୟାଖ୍ୟାନ କେନ୍ଦ୍ରରେ କୋଣାର୍କ ସଂପର୍କିତ ଏକ ଛୋଟ ଫିଲ୍ମ ଦେଖିଥିଲେ। କୋଣାର୍କ ବ୍ୟାଖ୍ୟାନ କେନ୍ଦ୍ର ବୁଲିବା ସହ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଛନ୍ତି। ଏହି ସମୟରେ ସିଙ୍ଗାପୁର ରାଷ୍ଟ୍ରପତିଙ୍କ ସହ ଉପସ୍ଥିତ ଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।
ସେହିପରି ପଟ୍ଟଚିତ୍ର ଗାଁ ରଘୁରାଜପୁରରେ ପତ୍ନୀଙ୍କ ସହ ରଘୁରାଜପୁର ଗାଁ ବୁଲିଲେ ସିଙ୍ଗାପୁର ରାଷ୍ଟ୍ରପତି। ଲୋକଙ୍କ ଘରେ ପଟ୍ଟଚିତ୍ର ଡେମୋ ଦେଖିବା ସହ ଆଲୋଚନା କଲେ। ମ୍ୟୁଜିୟମ୍ ସହ ପ୍ରଦର୍ଶନୀ ପଡ଼ିଆରେ ପଟ୍ଟଚିତ୍ର ଦେଖିଥିଲେ ରାଷ୍ଟ୍ରପତି।
ତେବେ ରାଷ୍ଟ୍ରପତିଙ୍କ ସୁରକ୍ଷା ଦାୟିତ୍ବରେ ୨୧ ପ୍ଲାଟୁନ ପୋଲିସ ଫୋର୍ସ ସହିତ ଜଣେ ଏସପି ରାଙ୍କ ଅଧିକାରୀ, ୪ ଅତିରିକ୍ତ ଏସପି, ୮ ଡିଏସପି ଓ ୧୫ ଇନ୍ସପେକ୍ଟର ମୁତୟନ ହୋଇଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତବେଳେ ଆତିଥ୍ୟତା ସହିତ ଅନ୍ୟାନ୍ୟ ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି।