ରାଜସ୍ଥାନ: ରାଜସ୍ଥାନର କୋଟାରେ ଜଣେ ଓଡ଼ିଆ ଛାତ୍ର ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି । ନ୍ୟାଶନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ଏନଇଇଟି) ପାଇଁ ପ୍ରସ୍ତୁତ ହେଉଥିବା ଜଣେ ଓଡ଼ିଆ ଛାତ୍ର ଆତ୍ମହତ୍ୟା କରିଛନ୍ତି। ମୃତ ଛାତ୍ର ଜଣକ ହେଉଛନ୍ତି ମୟୁରଭଞ୍ଜ ଜିଲ୍ଲାର ୧୮ ବର୍ଷୀୟ ଅଭିଜିତ୍ ଗିରି । ଗୁରୁବାର ରାତିରେ ସେ ନିଜ ହଷ୍ଟେଲ ରୁମ୍ ପଙ୍ଖାରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି।
ଏନେଇ ସ୍ଥାନୀୟ ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତନାଘନା କରୁଛନ୍ତି । ତେବେ ସେ ଆତ୍ମହତ୍ୟା କରିଥିବା ରୁମରୁ କୌଣସି ସୁଇସାଇଡ଼ ନୋଟ ଜବତ କରିନି ପୋଲିସ ।
ସୂଚନା ମୁତାବିକ, ମୃତ ଛାତ୍ର ଅଭିଜିତ୍ ଗିରି ରାଜସ୍ଥାନ କୋଟାରେ ବିଜ୍ଞାନ ନଗର ଅଞ୍ଚଳର ଆମ୍ବେଦକର କଲୋନୀରେ ରହି ଏନଇଇଟି ପାଇଁ ପ୍ରସ୍ତୁତ ହେଉଥିଲେ । ଚଳିତବର୍ଷ ଏପ୍ରିଲରେ ତାଙ୍କ ଶେଷ ପରୀକ୍ଷା ରହିଥିଲା ।
ଘଟଣା ମୁତାବିକ, ଗୁରୁବାର ରାତି ୮ଟାରେ ମେସର ଜଣେ କର୍ମଚାରୀ ଅଭିଜିତଙ୍କୁ ଖାଦ୍ୟ ଦେବା ପାଇଁ ତାଙ୍କ ରୁମ୍କୁ ଯାଇଥିଲେ। ସେ ତାଙ୍କ ରୁମ୍ କବାଟ ବାଡେଇବା ପରେ ବି ତାହା ନ ଖୋଲିବାରୁ କର୍ମଚାରୀଙ୍କ ମନରେ ସନ୍ଦେହ ହୋଇଥିଲା। ଏହାପରେ କେତେଜଣ ଛାତ୍ର ଆସି ତାଙ୍କ କବାଟ ଭାଙ୍ଗିଥିଲେ । ଶେଷରେ ଫ୍ୟାନରୁ ଝୁଲନ୍ତା ଅବସ୍ଥାରେ ଅଭିଜିତଙ୍କ ମୃତଦେହ ଦେଖିବାକୁ ପାଇଥିଲେ । ଏନେଇ ସ୍ଥାନୀୟ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିଥିଲା । ତେବେ ଅଭିଜିତଙ୍କ ରୁମ୍ରୁ କୌଣସି ସୁଇସାଇଡ୍ ନୋଟ୍ ଜବତ ହୋଇ ନଥିବାରୁ ତାଙ୍କ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇପାରିନାହିଁ ।
ହଷ୍ଟେଲ ରୁମରେ ଲାଗିଥିବା ସିଲିଂ ଫ୍ୟାନ୍ ଆତ୍ମହତ୍ୟା ଏଡ଼ାଇବା ପାଇଁ ଜିଲା ପ୍ରଶାସନ ପକ୍ଷରୁ କରାଯାଇଥିବା ନିୟମାନୁସାରେ ସଂଲଗ୍ନ ନ ଥିଲା ବୋଲି ପୋଲିସ କହିଛି ।
କୋଚିଂର ହବ ପାଲଟିଥିବା ରାଜସ୍ଥାନର କୋଟା ଗତ କିଛି ବର୍ଷ ହେଲା ଛାତ୍ର ମୃତ୍ୟୁର ହଟସ୍ପଟ ପାଲଟିଛି । କୋଟାର ବିଭିନ୍ନ କୋଚିଂ ସେଣ୍ଟରରେ ୨୦୨୪ରେ ଏଭଳି ୧୭ ମାମଲା ସାମ୍ନାକୁ ଆସିଥିବାବେଳେ ଚଳିତବର୍ଷ ଏହା ହେଉଛି କୋଚିଂ ସେଣ୍ଟରରେ ପଢ଼ୁଥିବା ଛାତ୍ରଙ୍କ ତୃତୀୟ ଆତ୍ମହତ୍ୟା । ପରୀକ୍ଷାକୁ ନେଇ ପ୍ରତିଯୋଗିତାମୂଳକ ଚାପ ଯୋଗୁ ପ୍ରତିବର୍ଷ ସେଠାରେ ଅନେକ ଛାତ୍ରୀଛାତ୍ର ଆତ୍ମହତ୍ୟା କରୁଥିବା ଅଭିଯୋଗ ହୋଇଆସୁଛି।