ଝାରସୁଗୁଡ଼ା: ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ଦୁଇ ବର୍ଷ ପୁରିବାକୁ ବସିଥିବାବେଳେ ତାଙ୍କ ହତ୍ୟାର ରହସ୍ୟରୁ ପରଦା ଉଠିପାରି ନାହିଁ । ଏହାରି ମଧ୍ୟରେ ରାଜ୍ୟ ଫରେନ୍ସିକ୍ ସାଇନ୍ସ ଲାଇବ୍ରୋଟାରି ରିପୋର୍ଟ ଆହୁରି ଅନେକ ସନ୍ଦେହ ସୃଷ୍ଟି କରିଛି । ଯେଉଁଠି ଘଟଣା ସମୟରେ କେବଳ ଗୋପାଳ ଦାସର ବନ୍ଧୁକରୁ ନୁହେଁ ବରଂ ଏକାଧିକ ବନ୍ଧୁକରୁ ଗୁଳିମାଡ଼ ହୋଇଥିବା କଥା ସନ୍ଦେହ କରାଯାଉଛି । ଏହା ପଛରେ ଆଉ କିଏ ଥିବା ନେଇ ସନ୍ଦେହ କରିଛନ୍ତି ଅଭିଯୁକ୍ତ ଗୋପାଳ ଦାସଙ୍କ ଓକିଲ ନରେଶ ନାୟକ ।
ଗୋପାଳ ଦାସଙ୍କ ଓକିଲଙ୍କ କହିବା ମୁତାବକ, କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ଦାଖଲ ହୋଇଥିବା ଚାର୍ଜସିଟ୍ ଓ ରାଜ୍ୟ ଫରେନ୍ସିକ୍ ସାଇନ୍ସ ଲାଇବ୍ରୋଟାରି (SFSL)ର ରିପୋର୍ଟ ଅନୁସାରେ ୨୦୨୩ ମସିହା ଜାନୁଆରି ୨୯ ତାରିଖରେ ନବ ଦାସଙ୍କର ୨ଟି ଗାଡ଼ି ବ୍ରଜରାନଗର ଗାନ୍ଧୀ ଛକକୁ ଯାଇଥିଲା । ପ୍ରଥମ ଗାଡ଼ିରେ (OD 15 U 6197) ଖୋଦ୍ ତତ୍କାଳୀନ ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସ ବସିଥିଲେ । ଦ୍ଵିତୀୟ ଗାଡ଼ିରେ (OD 15 T 0183) ତାଙ୍କର ସହଯୋଗୀମାନେ ବସିଥିଲେ । କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ଦାଖଲ ହୋଇଥିବା ଫାଇନାଲ୍ ଫର୍ମରେ ଗୋପାଳ ଦାସ ନିକଟରୁ ୧୮ଟି ଗୁଳିଥିବା ଏକ ମାଗାଜିନ୍, ୩ଟି ଜୀବନ୍ତ ଗୁଳି ଜବତ କରାଯାଇଥିବା ଦର୍ଶାଯାଇଛି । ସେହିପରି ଘଟଣାସ୍ଥଳରୁ ଏକ ଖୋକା ଓ ଏକ ଅବ୍ୟବହୃତ ଅକାମୀ ଗୁଳି ଜବତ କରାଯାଇଥିଲା ବୋଲି ଲେଖାଯାଇଛି । ଏହା ସହିତ ଗୋଟିଏ ଗୁଳି ଫାଙ୍କାରେ ଫୁଟାଇଥିବା ନେଇ ରିପୋର୍ଟରେ ଦର୍ଶାଯାଇଛି । ଅର୍ଥାତ୍ ଗୋପାଳ ବନ୍ଧୁକରେ ଥିବା ୬ଟି ଗୁଳିରୁ ୩ଟି ଜୀବନ୍ତ ଅବସ୍ଥାରେ ଜବତ ହୋଇଥିବା ବେଳେ ବଳକା ୩ଟିରୁ ଗୋଟିଏ ନବ ଦାସଙ୍କ ଛାତିରେ, ଗୋଟିଏ ଅକାମୀ ଓ ଗୋଟିଏ ଆକାଶକୁ ମରାଯାଇଥିଲା । ଫାଙ୍କା ଗୁଳିର ଖୋକା ଓ ଅକାମୀ ଗୁଳି ମିଳିଥିବା ରିପୋର୍ଟରେ ଦର୍ଶାଯାଇଥିବାବେଳେ ନବା ଦାସଙ୍କ ଛାତିରେ ବାଜି ଥିବା ଗୁଳି କିମ୍ବା ଉକ୍ତ ଗୁଳିର ଖୋକା ମିଳି ନ ଥିବା ଗୋପାଳର ଓକିଲ କହିଛନ୍ତି ।
ସେହିପରି ଏସ୍ଏଫ୍ଏସ୍ଏଲ୍ର ରିପୋର୍ଟରେ ଏକ ଭିନ୍ନ ଦୃଶ୍ୟ ବର୍ଣ୍ଣନା କରାଯାଇଛି । ଦ୍ଵିତୀୟ ଗାଡ଼ି ଯାହା ଏକ ଧଳା ରଙ୍ଗର ଇନୋଭା କାର୍ ଥିଲା ଉକ୍ତ କାର୍ର ସମ୍ମୁଖ ପାର୍ଶ୍ଵରେ ‘ଓଡ଼ିଶା ସରକାର, ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ’ ବୋଲି ଉଲ୍ଲେଖ ରହିଥିଲା । ୨୦୨୩ ମସିହା ଫେବ୍ରୁଆରି ୨ ତାରିଖ ସକାଳ ୯ଟା ସମୟରେ ମାମଲାର ତଦନ୍ତକାରୀ ଅଧିକାରୀଙ୍କ ଦ୍ୱାରା ଯାଞ୍ଚ ସମୟରେ ଦ୍ଵିତୀୟ ଗାଡ଼ିରେ ୫ଟି ଗନ୍ ସଟ୍ ହୋଲ୍ ଅର୍ଥାତ୍ ଗୁଳି ବାଜି କଣା ହୋଇଯାଇଥିବା ଦେଖାଯାଇଥିଲା । କାରର ବାମ ପାର୍ଶ୍ଵରେ ଏହି ୫ଟି ଯାକ ଗୁଳି ବାଜିଥିଲେ ହେଁ ଏହି ଗୁଳିଗୁଡ଼ିକ କୁଆଡ଼େ ଗଲା ଓ ଗୁଳିର ଖୋକା କାହିଁକି ଘଟଣାସ୍ଥଳରୁ ମିଳିଲାନି ସେ ସମ୍ପର୍କରେ କ୍ରାଇମ୍ବ୍ରାଞ୍ଚ ନିଜ ରିପୋର୍ଟରେ କୌଣସି ତଥ୍ୟ ପ୍ରଦାନ କରି ନ ଥିବା ଗୋପାଳର ଓକିଲ କହିଛନ୍ତି ।
ଗୋପାଳ ଦାସର ବନ୍ଧୁକରେ ଥିବା ସମସ୍ତ ଗୁଳିର ହିସାବ ମିଳୁଥିଲେ ହେଁ କେବଳ ନବ ଦାସଙ୍କ ଛାତିରେ ବାଜିଥିବା ଗୁଳିର ପତ୍ତା ମିଳିପାରିନି। ସେପଟେ, ପଛ କାର୍ରେ ଆଉ ୫ଟି ଗୁଳି ବାଜିଥିଲେ ହେଁ ଉକ୍ତ ଗୁଳି ଓ ଖୋକା ମିଳିପାରିନି। ଏଭଳି ସ୍ଥିତିରେ ନବ ଦାସଙ୍କୁ କେଉଁ ବନ୍ଧୁକରୁ ଗୁଳି ବାଜିଛି ତାହା ମଧ୍ୟ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ତେବେ ଏଠାରେ ଏକ ବଡ଼ ପ୍ରଶ୍ନ, ପଛ ଗାଡ଼ିଟି ସରକାରୀ ଥିବା ବେଳେ ସେହି ଗାଡ଼ିରେ ନବ ଦାସ ଆଶଙ୍କା କରି ଗୁଳି ବର୍ଷା କରାଯାଇଥିଲା କି? କେତୋଟି ବନ୍ଧୁକ ପ୍ରକୃତରେ ବ୍ୟବହାର କରାଯାଇଥିଲା ? ଘଟଣାସ୍ଥଳରେ ଏତେ ଗୁଳି ମାଡ଼ ହେବା ପରେ କେହି କେମିତି କିଛି ଜାଣିପାରିନଥିଲେ ଆଦି ଅନେକ ପ୍ରଶ୍ନ ଏବେ ବି ଅସମାହିତ ହୋଇ ରହିଛି।
ସେପଟେ, ଘଟଣା ସମୟରେ ନବ ଦାସଙ୍କୁ ଆହତ ଅବସ୍ଥାରେ ଉଠାଇ କାର୍ ଭିତରକୁ ନେଇଥିବା ଦ୍ଵାରିକାନାଥ ପଣ୍ଡା ଓ ଶୁଭେନ୍ଦୁ ପଟ୍ଟନାୟକଙ୍କ ପୋଷାକ, ନବ ଦାସଙ୍କ ବେକରେ ପଡ଼ିଥିବା ଫୁଲ ମାଳ, ତାଙ୍କ ଚପଲକୁ କ୍ରାଇମ୍ବ୍ରାଞ୍ଚ ଜବତ କରିଛି । କିନ୍ତୁ ନବ ଦାସଙ୍କ ରକ୍ତ ଭିଜା ସାର୍ଟ ଓ ବସିଥିବା କାର୍ ସିଟ୍ର ରକ୍ତ ଭିଜା ଟର୍କିସ୍ ସିଜ୍ ଲିଷ୍ଟରେ ନ ଥିବା ଓକିଲ କହିଛନ୍ତି ।