ଶନିବାର ଭିଡିଓ କନଫ୍ରେନସ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାମିତ୍ୱ ଯୋଜନା ଅଧୀନରେ ସମ୍ପତ୍ତି ମାଲିକଙ୍କୁ ମୋଟ ୬୫ ଲକ୍ଷ ସମ୍ପତ୍ତି କାର୍ଡ ବଣ୍ଟନ କରିଛନ୍ତି । ଦେଶର ମୋଟ ୧୦ ରାଜ୍ଯ ଓ ୨ କେନ୍ଦ୍ରଶାସିତ ଅଞ୍ଚଳର ପ୍ରାୟ ୨୩୦ ରୁ ଅଧିକ ଜିଲ୍ଲାରେ ଆଜି ଏ ସମ୍ପତ୍ତି କାର୍ଡ ବଣ୍ଟନ କରିଛନ୍ତି । ଯେଉଁଥିରେ ମୋଟ ୫୦ ହଜାରରୁ ଅଧିକ ଗାଁ ସଂପୃକ୍ତ ରହିଥିବା ବେଳେ ଏହି ଯୋଜନାରେ ମୋଟ ୬୫ ଲକ୍ଷରୁ ଅଧିକ ସମ୍ପତ୍ତି କାର୍ଡ ବିତରଣ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ସମ୍ୱୋଧିତ କରି ମୋଦୀ କହିଥିଲେ ଯେ, ଦେଶର ଗାଁ ଓ ଗ୍ରାମୀଣ ଅର୍ଥବ୍ୟବସ୍ଥା ପାଇଁ ଆଜି ଏକ ଐତିହାସିକ ଦିନ ଅଟେ ।
ଏହି ସ୍ବାମିତ୍ବ ପ୍ରମାଣପତ୍ର କାର୍ଡ ଦ୍ଵାରା ଜନବସତି ସମ୍ପତ୍ତିର ମାଲିକାନାରେ ସ୍ଵଚ୍ଛତା ଆସିବ, ଜମିର ଆଇନଗତ ମାଲିକାନା ମଧ୍ୟ ସ୍ପଷ୍ଟ ହେବ। ସମ୍ପତ୍ତିର ମାଲିକ ସମ୍ପତ୍ତି ଅଧିକୃତ କାଗଜପତ୍ର ମଧ୍ୟ ସହଜରେ ପାଇପାରିବେ। ଯାହାକି ଗ୍ରାମୀଣ ଭାରତକୁ ପରିବର୍ତ୍ତନ ଏବଂ ଗ୍ରାମାଞ୍ଚଳରେ ସଶକ୍ତିକରଣକୁ ତ୍ୱରାନ୍ୱିତ କରିବ।
ଆଜି ରାଜ୍ୟରେ ଏହି ଯୋଜନାର ଶୁଭାରମ୍ଭ ଅବସରରେ ରାୟଗଡ଼ାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବା ସହ ହିତାଧିକାରୀଙ୍କୁ ସମ୍ପତ୍ତି କାର୍ଡ ପ୍ରଦାନ କରିଥିଲେ।
ଏହି ସ୍ୱାମିତ୍ୱ ଯୋଜନା ନୂଆ ଡ୍ରୋନ ଟେକ୍ନୋଲୋଜି ଉପରେ ଆଧାରିତ । ଯାହାଦ୍ୱାରା ଗାଁରେ ଥିବା ଘର ମାଲିକଙ୍କ ଅଧିକାରର ରେକର୍ଡ ପ୍ରଦାନ କରି ହେବ । ଫଳରେ ଗ୍ରାମୀଣ ଅର୍ଥବ୍ଯବସ୍ଥା ସଶକ୍ତ ଓ ସମୃଦ୍ଧ ହୋଇ ଉଠିବ ।ଗାଁର ସର୍ବେକ୍ଷଣ ତଥା ବୈଷୟିକ ଜ୍ଞାନକୌଶଳ ମାଧ୍ଯମରେ ମାନଚିତ୍ରଣ କରି ଗ୍ରାମୀଣ ଭାରତର ପରିବର୍ତ୍ତନ ଦିଗରେ ବିଶେଷ ମହତ୍ତ୍ୱ ରଖିବ । ଫଳରେ ପ୍ରଗତି ପଥରେ ଆଗେଇବ ଦେଶ ।ଏହି ସ୍ୱାମିତ୍ୱ ଯୋଜନା ମାଧ୍ଯମରେ ସରକାର ସଠିକ ସମ୍ପତ୍ତିର ସ୍ୱାମିତ୍ୱ ଡାଟା ପ୍ରଦାନ କରୁଛନ୍ତି । ଯେଉଁଥିରେ ସ୍ପଷ୍ଟ ସ୍ୱାମିତ୍ୱ ରେକର୍ଡ ଲୋକଙ୍କୁ ମିଳିଥାଏ । ଫଳରେ ଜମି ବିବାଦ କମ୍ ହୋଇଥାଏ ।ପ୍ରକାଶଥାଉ ଯେ, ଏହି ଯୋଜନା ମାଧ୍ଯମରେ ଏଯାଏଁ ୨ କୋଟି ୨୫ ଲକ୍ଷ ସମ୍ପତ୍ତି କାର୍ଡ ପ୍ରସ୍ତୁତ ହୋଇ ସାରିଛି । ଏହ ସଂଖ୍ଯା ପ୍ରାୟ ୯୨ ପ୍ରତିଶତ ଗାଁକୁ କଭର କରି ସାରିଛି ।ତାହାସହ ୩ ଲକ୍ଷ ୧୭ ହଜାର ଗ୍ରାମରେ ଡ୍ରୋନ ସର୍ବେକ୍ଷଣ ଶେଷ ହୋଇଛି ।