ଭୁବନେଶ୍ୱର: ରାଜସ୍ଥାନରେ ତୋପ ଅଭ୍ୟାସବେଳେ ବୋମା ବିସ୍ଫୋରଣରେ ସହିଦ ହୋଇଥିବା ୩ ଯବାନଙ୍କ ମଧ୍ୟରେ ଜଣେ ଓଡ଼ିଆ ଥିବା ଜଣାପଡ଼ିଛି । ସେ ହେଉଛନ୍ତି କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅନ୍ତର୍ଗତ ବଡାଗୁଡା ଗ୍ରାମର ଈଶ୍ଵର ତଲିଆ । ଗୁରୁବାର ସକାଳେ ଚଣ୍ଡୀଗଡ଼ କମାଣ୍ଡ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।
୨୦୧୧ ମସିହାରେ ଈଶ୍ୱର ତଲିଆ ଭାରତୀୟ ସେନାରେ ଯୋଗ ଦେଇଥିଲେ । ସେ ୪୬ ଆର୍ମୀ ଆର୍ମଡ୍ ରେଜିମେଣ୍ଟରେ ଏଲ.ଡି ପଦବିରେ କାର୍ଯ୍ୟରତ ଥିଲେ । ତୋପ ଅଭ୍ୟାସ ପାଇଁ ତାଙ୍କୁ ରାଜସ୍ଥାନ ପୋଖରନ ପଠାଯାଇଥିଲା । ଈଶ୍ଵର ବିବାହିତ ହୋଇଥିବାବେଳେ ଘରେ ତାଙ୍କର ସ୍ତ୍ରୀ ବାସନ୍ତୀ ତଲିଆ, ୮ ବର୍ଷର ଝିଅ, ୨ ବର୍ଷର ପୁଅ, ବୃଦ୍ଧ ବାପା ଓ ମା’ ଅଛନ୍ତି । ସେ ଶେଷଥର ପାଇଁ ଅକ୍ଟୋବର ମାସରେ ଘରକୁ ଆସିଥିଲେ ।
ଈଶ୍ୱରଙ୍କ ମୃତ୍ୟୁ ଖବର ଆସିବା ପରେ ତାଙ୍କ ଗାଁ ସହିତ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଦେଶ ଜଣେ ବୀର ଯବାନଙ୍କୁ ହରାଇଛି ବୋଲି ଗ୍ରାମବାସୀ କହିଛନ୍ତି ।
ଅଧିକ ପଢ଼ନ୍ତୁ- ସଂସଦରେ ପ୍ରତାପ ଷଡ଼ଙ୍ଗୀର ଫାଟିଲା ମୁଣ୍ଡ
ଗତକାଲି ରାଜସ୍ଥାନ ବିକାନେରରେ ମହାଜନ ଫିଲ୍ଡ଼ ଫାୟରିଙ୍ଗ ରେଞ୍ଜରେ ଭାରତୀୟ ସେନାର ତୋପ ଅଭ୍ୟାସ ଚାଲିଥିଲା । ଏହି ସମୟରେ ବୋମା ବିସ୍ଫୋରଣ ହୋଇଥିଲା । ଘଟଣା ସ୍ଥଳରେ ହିଁ ୨ ଜଣ ଯବାନଙ୍କର ପ୍ରାଣ ବାୟୁ ଉଡ଼ିଯାଇଥିଲା । ଈଶ୍ୱରଙ୍କୁ ଗୁରୁତର ଅବସ୍ଥାରେ ରାଜସ୍ଥାନରୁ ଚଣ୍ଡୀଗଡ଼ କମାଣ୍ଡ ହସ୍ପିଟାଲକୁ ଏୟାର ଲିଫ୍ଟ କରାଯାଇଥିଲା । ଗୁରୁବାର ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଦୁଇ ସହିଦ ଯବାନ ହେଲେ ଆଶୁତୋଷ କୁମାର ଏବଂ ଜିତେନ୍ଦ୍ର ।
ଅଧିକ ପଢ଼ନ୍ତୁ-ରାହୁଲଙ୍କ ବିରୋଧରେ ବିକ୍ଷୋଭ, ଭୁବନେଶ୍ୱରରେ ଜଳିଲା ନିଆଁ, ଗିରଫ ଦାବି କଲା ବିଜେପି ଯୁବ ମୋର୍ଚ୍ଚା