ନୂଆଦିଲ୍ଲୀ: ଓଡ଼ିଶା ନିବେଶ କରିବାକୁ ଆଗ୍ରହ ଦେଖାଉଛନ୍ତି ଶିଳ୍ପପତି । ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆଦିଲ୍ଲୀରେ ଆୟୋଜିତ ନିବେଶକ ସମ୍ମିଳନୀ ମାଧ୍ୟମରେ ରାଜ୍ୟକୁ ୧ ଲକ୍ଷ ୩ ହଜାର ୯୦ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ପ୍ରସ୍ତାବ ଆସିଛି । ଏହା କାର୍ଯ୍ୟକାରୀ ହେଲେ ୯୫ ହଜାର ୯୧୫ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଇନଭେଷ୍ଟର୍ସ ମିଟ୍ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ୧୩ଟି ଏମଓୟୁ ସ୍ୱାକ୍ଷର ହୋଇଛି । ଏହି ଏମଓୟୁ ହୋଇଥିବା ପ୍ରକଳ୍ପ ଜରିଆରେ ୬୭ ହଜାର ନିଯୁକ୍ତି ସୃଷ୍ଟି ହେବ ।
ନୂଆଦିଲ୍ଲୀର ତାଜ୍ ପ୍ୟାଲେସ ଠାରେ ଆୟୋଜିତ ଇନଭେଷ୍ଟର୍ସ ମିଟ୍ ସମ୍ମିଳନୀର ଦ୍ୱିତୀୟ ଦିନରେ ମେଗା ପ୍ରକଳ୍ପର ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏଥିରେ ଯୋଗଦେଇ ବିଶିଷ୍ଟ ଶିଳ୍ପପତିଙ୍କ ସହ ବ୍ୟକ୍ତିଗତ ଆଲୋଚନା କରିଛନ୍ତିି । ଓଡ଼ିଶାରେ ନିବେଶ ପାଇଁ ଥିବା ଅନୁକୂଳ ପରିବେଶ ସର୍ମ୍ପକରେ ଅଗବତ କରାଇବା ସହ ରାଜ୍ୟରେ ପୁଞ୍ଜି ନିବେଶ କରିବାକୁ ଆମନ୍ତ୍ରଣ କରିଛନ୍ତି ।
ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ କହିଛନ୍ତି, ଗତ ଦଶନ୍ଧୀରେ ପେଟ୍ରୋଲିୟମ୍ କ୍ଷେତ୍ରରେ ୨ଲକ୍ଷ ୪ ହଜାର କୋଟିରୁ ଅଧିକ ଟଙ୍କାର ପୁଞ୍ଜିନିବେଶ ହୋଇଛି । ପେଟ୍ରୋକେମିକାଲ୍ସ କ୍ଷେତ୍ରରେ ସ୍ୱାକ୍ଷରିତ ୩ଟି ବୁଝାମଣାପତ୍ର ଦ୍ୱାରା ଓଡ଼ିଶା ଆଗାମୀ ଦିନରେ ଏକ ପ୍ରମୁଖ ଶକ୍ତିକେନ୍ଦ୍ରରେ ପରିଣତ ହେବ । ଏଥିପାଇଁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଧମେନ୍ଦ୍ର ପ୍ରଧାନ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ କହିଛନ୍ତି, ନୂଆ ପୁଞ୍ଜିନିବେଶ ରାଜ୍ୟର ଉଦ୍ୟୋଗୀ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବ । ଅଧିକରୁ ଅଧିକ ଓଡ଼ିଆ ଯୁବକ ଉଦ୍ୟୋଗୀ ହେବାରେ ସକ୍ଷମ ହେବେ । ଏସବୁ ପଦକ୍ଷେପ ଡବଲ ଇଞ୍ଜିନ ସରକାର ଇସ୍ତାହାରର ଏକ ସ୍ପଷ୍ଟ ପ୍ରତିଫଳନ ବୋଲି ସେ କହିଛନ୍ତି ।