ଭୁବନେଶ୍ୱର: ଆଜି ୪୧୭୩ କୋଟି ଟଙ୍କାର ବିନିଯୋଗରେ ୧୫୪ କିମି ଦୀର୍ଘ ୧୯ଟି ନୂତନ ସଡ଼କ ପ୍ରକଳ୍ପର ଶିଳାନ୍ୟାସ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଶିଳାନ୍ୟାସ କରିଛନ୍ତି । ଓଡ଼ିଶାର ଭିତ୍ତିଭୂମିର ବିକାଶ ପାଇଁ ଏକ ଐତିହାସିକ ଦିବସ ଅଟେ । ଓଡ଼ିଶା ଇତିହାସରେ ଆଉ ଏକ ନୂତନ ଫର୍ଦ୍ଦ ଯୋଡ଼ି ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଏହି ସମସ୍ତ ରାସ୍ତା ନିର୍ମାଣ ହେଲେ ଯାତାୟାତ ସହିତ ଆର୍ଥିକ ବିକାଶ ହେବ ଓ ଲୋକଙ୍କୁ ଲାଭ ପହଁଚାଇବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ସଡ଼କ ନିର୍ମାଣ ଉପରେ ପ୍ରାଧାନ୍ୟ ଦେଇଛନ୍ତି । ୨୦୧୪ରେ ସେତେବେଳର ସରକାର ଦିନକୁ ମାତ୍ର ୧୪ କିମି ରାସ୍ତା ନିର୍ମାଣ କରୁଥିବାବେଳେ ବର୍ତ୍ତମାନ ସରକାର ଦିନକୁ ୧୦୦ କିମି ରାସ୍ତା ନିର୍ମାଣ କରୁଛନ୍ତି ।
ଏହା ସହିତ ମୁଖ୍ୟମନ୍ତ୍ରୀ କେନ୍ଦ୍ର ମନ୍ତ୍ରୀଙ୍କ ନିକଟରେ ୪ଟି ନୂତନ ପ୍ରସ୍ତାବ ଦେଇଛନ୍ତି । ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ୬ ଥାକିଆ ହେବାକୁ ପ୍ରସ୍ତାବିତ ଥିବାବେଳେ ମୁଖ୍ୟମନ୍ତ୍ରୀ ୮ ଥାକିଆ କରିବାକୁ ପ୍ରସ୍ତାବ ଦେଇଛନ୍ତି । ସେହିପରି କୋଷ୍ଟାଲ୍ ଲେନ୍ ବା ଉପକୂଳ ରାସ୍ତାକୁ ୨ ଥାକିଆରୁ ୪ ଥାକିଆ କରିବାକୁ ପ୍ରସ୍ତାବ ଦେଇଛନ୍ତି । ସେହିପରି ସିଆରଆଇ ଫଣ୍ଡରୁ ରାଜ୍ୟକୁ ଅଂଶ ଦେଇ ଭିତ୍ତିଭୂମିର ବିକାଶ କରିବାକୁ କେନ୍ଦ୍ର ନିକଟରେ ପ୍ରସ୍ତାବ ରଖିଛନ୍ତି ।