ଯାଜପୁର: ଆଜି ଯାଜପୁର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ନିଖୋଜ ଶିଶୁ ପିହୁର ମାଆ । ଜିଲ୍ଲାପାଳଙ୍କୁ ୪ ଦଫା ଦାବି ଜଣାଇଛନ୍ତି । ଏ ନେଇ ପିହୁଙ୍କ ମାଆ ମୋନାଲିଶା ନାୟକ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।
ଦୃଷ୍ଟି ବାଧିତ ମାଆ କୋଳକୁ ତାର ପୁଅ ଶୁଭମ୍ ଫେରି ଆସିବା ପରେ ଏବେ ନିଖୋଜ ଶିଶୁ ପିହୁ ମାଆଙ୍କ ମନରେ ଆଶା ସଂଚାର ହୋଇଛି । ନିଖୋଜ ହେବାର ଦୀର୍ଘ ୫ ବର୍ଷ ପରେ ମଧ୍ୟ ଫେରିବା ବାଟକୁ ଚାହିଁ ବସିଛନ୍ତି ମାଆ । ତତ୍କାଳୀନ ସରକାରଙ୍କ ଉଦାସୀନତା ଯୋଗୁଁ ପିହୁ ଆଉ ଫେରି ନ ଥିଲା । ଯାହାକୁ ନେଇ ମୋହନ ସରକାର ନିକଟରେ ଗୁହାରୀ କରିଛନ୍ତି ମୋନାଲିଶା । ମୋନାଲିସା ଜ଼ିଲ୍ଲାପାଳଙ୍କ ଜରିଆରେ ୪ ଦଫା ଦାବି ପ୍ରଦାନ କରିଛନ୍ତି । ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିବା ସହିତ ତତ୍କାଳୀନ ୨ ଥାନା ଅଧିକାରୀ ନିରଞ୍ଜନ ଶବର, ସରୋଜ ତାଠୋଇଙ୍କୁ ବରଖାସ୍ତ କରିବା ସହି କାହିଁକି ତଦନ୍ତରେ ୪୦ ଦିନ ବିଳମ୍ବ କରିଥିଲେ ସେଥିପାଇଁ ସେମାନଙ୍କୁ ତଦନ୍ତ ପରିସର ଭୁକ୍ତ କରିବା ଓ କାହା ଚାପରେ ଘଟଣାକୁ ଚପାଇ ଦିଆଯାଇଥିଲା ତାହାର ତଦନ୍ତ କରିବାକୁ ସେ ଦାବି କରିଛନ୍ତି । ଏହା ସହିତ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସାକ୍ଷାତ କରିବାକୁ ଜିଲ୍ଲାପାଳଙ୍କ ଜରିଆରେ ଗୁହାରୀ କରିଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ୨୦୨୦, ଅଗଷ୍ଟ ୯ ତାରିଖରେ ବିଞ୍ଝାରପୁର ଥାନା ଅନ୍ତର୍ଗତ ମଧୁସୂଦନପୁର ଗାଁର ଶୁଭଲକ୍ଷ୍ମୀ ନାୟକ ଓରଫ୍ ପିହୁ ଗାଁ ଦାଣ୍ଡରେ ଖେଳୁଥିବାବେଳେ ନିଖୋଜ ହୋଇଯାଇଥିଲା । ଏ ନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିବା ସତ୍ତ୍ୱେ ପୋଲିସ ତଦନ୍ତ କରି ନ ଥିଲା । କିନ୍ତୁ ୪ ମାସ ପରେ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ତଦନ୍ତ ଆରମ୍ଭ ହୋଇଥିଲା । କିନ୍ତୁ ସେବେଠାରୁ ପିହୁର କୌଣସି ପତ୍ତା ମିଳୁ ନାହିଁ ।