ଭୁବନେଶ୍ୱର: ବ୍ୟକ୍ତି କେତେଦିନ ବଞ୍ଚେ ତାହା ମହତ୍ୱପୂର୍ଣ୍ଣ ନୁହେଁ, କିନ୍ତୁ କିଭଳି ବଞ୍ଚେ ଓ ସେହି ସମୟ ମଧ୍ୟରେ କଣ କାମ କରେ ତାହା ଗୁରୁତ୍ୱପୂର୍ଣ୍ଣ ଏବଂ ଏହା ହିଁ ଆମକୁ ଡ. ହରେକୃଷ୍ଣ ମହତାବଙ୍କ ଜୀବନରୁ ଶିକ୍ଷା ମିଳେ ବୋଲି କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ଶ୍ରୀ ନିତିନ ଗଡକରୀ ଆଜି ରେଭେନ୍ସା ବିଶ୍ୱବିଦ୍ୟାଳୟ ଠାରେ ଆୟୋଜିତ ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ଜାତୀୟ ସମ୍ମିଳନୀରେ ଯୋଗଦେଇ କହିଛନ୍ତି।
ଓଡ଼ିଶାରେ ଶିକ୍ଷାର ବିକାଶ କରି ଡ. ମହତାବ ପ୍ରମାଣିତ କରି ଦେଇଥିଲେ ଯେ, ଆତ୍ମ ବିଶ୍ୱାସ ସହ ଜ୍ଞାନର ସଂଯୋଗ ରହିବା ନିହାତି ଆବଶ୍ୟକ । ହୀରାକୁଦ ବନ୍ଧ ନିର୍ମାଣ ହେଉ, ଅବା ଭୁବନେଶ୍ୱରକୁ ଓଡିଶାର ରାଜଧାନୀ ଭାବେ ପ୍ରତିଷ୍ଠା କରିବା ହେଉ, ସବୁଥିରେ ତାଙ୍କ ଅବଦାନକୁ ଇତିହାସ ସବୁବେଳେ ମନେ ରଖିବ । ସ୍ୱାଧୀନତା ଆନ୍ଦୋଳନ ସମୟରେ ମହାରାଷ୍ଟ୍ରର ଅହମଦ ନଗର ଜେଲରେ ଥିବା ବେଳେ ସେ ଓଡିଶାରେ ନୂତନ ସୂର୍ଯ୍ୟୋଦୟର ସ୍ୱପ୍ନ ଦେଖିଥିଲେ ବୋଲି ଶ୍ରୀ ଗଡକରୀ ନିଜ ଅଭିଭାଷଣରେ କହିଥିଲେ।
ତେବେ କେନ୍ଦ୍ରମନ୍ତ୍ରୀ ବିକାଶ ପାଇଁ କେବଳ ବ୍ୟକ୍ତିଗତ ପ୍ରୟାସ ଅପେକ୍ଷା ସାମୁହିକ ପ୍ରୟାସ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଜଳ, ଶକ୍ତି, ପରିବହନ ଓ ଯୋଗାଯୋଗ, ଏହି ୪ଟି ମୂଳ ବିନ୍ଦୁ ଦ୍ୱାରା ଓଡ଼ିଶାର ବିକାଶ ସମ୍ଭବ । ଅସମ୍ଭବ ଶବ୍ଦ ମଧ୍ୟରେ ସମ୍ଭବକୁ ଖୋଜିବା ହିଁ ବିକାଶ ବୋଲି କହିଛନ୍ତି ଶ୍ରୀ ଗଡ଼କରୀ । ଆଜିକାଲି ସମସ୍ତେ ଗାଁରୁ ସହର ଆଡକୁ ମୁଁହାଇଛନ୍ତି । କିନ୍ତୁ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ସେ ମୋତେ ଗାଁକୁ ରାସ୍ତା ନିର୍ମାଣର ଦାୟିତ୍ୱ ଦେଇଥିଲେ । ଆଜି ଆମେ କେବଳ ସ୍ମାର୍ଟ ସହର ନୁହେଁ, ସ୍ମାର୍ଟ ଭିଲେଜ ମଧ୍ୟ ବନାଇବାକୁ ଯାଉଛୁ। ଏଣୁ ଦୃଢ ଇଚ୍ଛାଶକ୍ତି ଥିଲେ ସବୁ ସମ୍ଭବ। ଏହି ସଂସ୍କାର ବ୍ୟକ୍ତିର ବ୍ୟକ୍ତିତ୍ୱକୁ ବିକାଶ କରେ ଏବଂ ଡ. ମହତାବ ନିଜ କଲମ ମୁନରୁ ଏହା ଶିକ୍ଷା ଦେଇଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡକରୀ କହିଥିଲେ ।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ନିତିନ୍ ଗଡକରୀ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଡ. ହରେକୃଷ୍ଣ ମହତାବଙ୍କର ଜୀବନୀ ସମ୍ବନ୍ଧୀୟ ଫଟୋଚିତ୍ର ପ୍ରଦର୍ଶନୀ ଉଦ୍ଘାଟନ କରିବା ସହ ଏହାର ପରିଦର୍ଶନ କରିଥିଲେ ।