ଢେଙ୍କାନାଳ: ଟ୍ରାକ୍ଟର ଧକ୍କାରେ ଚାଲିଗଲା ସାଇକେଲ ଆରୋହୀଙ୍କ ଜୀବନ । ସାଇକେଲ ଆରୋହିଙ୍କୁ ଧକ୍କା ଦେବା ପରେ ଦୋକାନ ଭିତରକୁ ପଶିଗଲା ଟ୍ରାକ୍ଟର। ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ଢେଙ୍କାନାଳ ଟାଉନଥାନା ଅନ୍ତର୍ଗତ ମୀନା ବଜାରରେ ଘଟିଛି । ମୃତକ ଜଣକ ୨୫ ବର୍ଷୀୟ ହ୍ରିତିକ ତନ୍ନା।
ସୂଚନା ଅନୁସାରେ, ହ୍ରିତିକ ତନ୍ନା ସାଇକେଲ ଯୋଗେ ସଉଦା କିଣିବାକୁ ଦୋକାନକୁ ଯାଉଥିବା ସମୟରେ ଟ୍ରାକ୍ଟର ତାଙ୍କୁ ଚାପି ଦେଇଥିଲା । ଦୁର୍ଘଟଣା ପରେ ଟ୍ରାକ୍ଟର ରାସ୍ତାପାର୍ଶ୍ଵରେ ଥିବା ଦୋକାନ ଭିତରକୁ ପଶି ଯାଇଥିଲା। ଅଳ୍ପକେ ଦୋକାନ ଆଗରେ ଛିଡା ହୋଇଥିବା କିଛି ଗ୍ରାହକ ଓ ଦୋକାନ ମାଲିକଙ୍କ ଜୀବନ ବର୍ତ୍ତିଯାଇଛି। ଘଟଣାସ୍ଥଳରେ ଚାପା ଉତ୍ତେଜନା ସହ ସ୍ଥାନୀୟ ଲୋକ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି । ଫଳରେ ରାସ୍ତାର ଉଭୟ ପଟରେ ଶତାଧିକ ଗାଡି ଅଟକି ରହିଛି। ଘଟଣାସ୍ଥଳରେ ଟାଉନଥାନା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ଘଟଣାର ତଦନ୍ତ ଜାରି କରିଛି । ଟ୍ରାକ୍ଟର ଚାଳକକୁ ଅଟକ ରଖାଯାଇଛି ।