ନୟାଗଡ଼: ନୟାଗଡ଼ ଜିଲ୍ଲା ଗଣିଆ ବେଲପଡ଼ା ପ୍ରାଥମିକ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ପଞ୍ଚମ ଶ୍ରେଣୀ ଛାତ୍ରଙ୍କ କ୍ଷତାକ୍ତ ମୃତ ଦେହ ଉଦ୍ଧାର ହୋଇଛି । ମୃତ ଛାତ୍ର ଜଣକ ହେଲେ ବିଜୟ ମଲ୍ଲିକଙ୍କ ପୁଅ । କାର୍ଯ୍ୟରେ ଅବହେଳା ପାଇଁ ବିଦ୍ୟାଳୟର ଦୁଇ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରାଯାଇଛି । ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି ।
ପ୍ରତିଦିନ ଭଳି ଗତକାଲି ବିଜୟଙ୍କ ପୁଅ ସ୍କୁଲକୁ ଯାଇଥିଲେ । ମଧ୍ୟାହ୍ନ ଭୋଜନ ପରେ ଶୌଚ ହେବାକୁ ଯାଇ ଆଉ ଫେରି ନ ଥିଲେ । ସ୍କୁଲ ଛୁଟି ହେବା ପରେ ଘରକୁ ଫେରିନଥିଲେ । ଏହା ପରେ ପରିବାର ଲୋକେ ବହୁତ ଖୋଜାଖୋଜି କରିବା ଥିଲେ ସୁଦ୍ଧା ପାଇ ନଥିଲେ । ରାତି ତମାମ ପୁଅକୁ ଖୋଜି ଥିଲେ । ହେଲେ ଆଜି ସକାଳୁ ବିଦ୍ୟାଳୟଠାରୁ କିଛି ଦୂରରେ ଥିବା ଏକ କୂଅ ଭିତରୁ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି । ତାର କାନରେ କ୍ଷତ ଚିହ୍ନ ରହିଛି । ପିଲାକୁ କେହି ହତ୍ୟା କରି କୂଅରେ ଫିଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି ।
ପରିବାର ଲୋକେ ଶିକ୍ଷୟିତ୍ରୀଙ୍କ ବିରୋଧର ଜାତିଆଣ ଭେଦଭାବର ଅଭିଯୋଗ ଆଣିଛନ୍ତି । ନିଚ୍ଚ ଜାତି କହି ପିଲାଙ୍କୁ ବିଦ୍ୟାଳୟରେ ଥିବା ଶୌଚାଳୟ ବ୍ୟବହାର କରିବାକୁ ଅନୁମତି ଦେଉନଥିଲେ । ପିଲା ଶୌଚ ହେବାକୁ ବାହାରକୁ ଯାଉଥିଲେ । ଯେଉଁଥିପାଇଁ ଆଜି ଏଭଳି ଘଟଣା ଘଟିଥିବା କହିଛନ୍ତି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ଗ୍ରାମବାସୀମାନେ କଣ୍ଟିଲୋ- ଦଶପଲ୍ଲା ରାସ୍ତା ଅବରୋଧ କରିଛନ୍ତି । ଅଭିଯୁକ୍ତକୁ ଗିରଫ କରିବା ସହିତ ଶିକ୍ଷୟିତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ପୋଲିସ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ତତସହିତ ଘଟଣା ସ୍ଥଳରେ ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ୍ ଟିମ୍ ପହଁଚି ଛାନଭିନ କରୁଛନ୍ତି । ଉପଯୁକ୍ତ ତଦନ୍ତ ପରେ ଘଟଣା ଉପରକୁ ପରଦା ଉଠିବାର ସମ୍ଭାବନା ରହିଛି ।
ଅନ୍ୟପକ୍ଷେ ଗଣିଆ ବ୍ଲକ୍ ଶିକ୍ଷା ଅଧିକାରୀ ଘଟଣା ପରେ ବେଲପଡ଼ା ପ୍ରାଥମିକ ବିଦ୍ୟାଳୟର ୨ ଜଣ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରିଛନ୍ତି । ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ମନୀଷା ସେନାପତି ଏବଂ ସହକାରୀ ଶିକ୍ଷୟିତ୍ରୀ ଶୈଳବାଳା ଦେଇଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି । କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବନ କରାଯାଇଛି ।
Also read: ସହିପାରିଲେନି ଉପର ଅଧିକାରୀଙ୍କ ନିର୍ଯ୍ୟାତନା, ଝୁଲି ପଡ଼ିଲେ କର୍ମଚାରୀ