ଜଗତସିଂହପୁର: ଉପରିସ୍ଥ ଅଧିକାରୀଙ୍କ ମାନସିକ ନିର୍ଯ୍ୟାତନା ସହି ନପାରି ଶେଷରେ ଜଣେ ତଳିଆ କର୍ମଚାରୀ ଜୀବନ ହାରିଛନ୍ତି । ମୃତ କର୍ମଚାରୀ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ଚହରପୁର ଗ୍ରାମର ନିହାର ରଞ୍ଜନ ମହାନ୍ତି । ସେ ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ । ସେ ଜଣେ ଚତୁର୍ଥ ଶ୍ରେଣୀର କର୍ମଚାରୀ ଥିଲେ ।
ନିହାର ରଞ୍ଜନଙ୍କ ସ୍ତ୍ରୀଙ୍କ ସୂଚନା ମୁତାବକ, ଜିଲ୍ଲା ଆଇନ ସେବା ପ୍ରାଧିକରଣ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ । ଜଗତସିଂହପୁର ଜିଲ୍ଲା ସଦର ଥାନା ନୂଆପୋଲ ଅଞ୍ଚଳରେ ରହୁଥିଲେ । ଆଜି ସକାଳୁ ଉଠି ଚା ପିଇବା ସହିତ ସ୍ତ୍ରୀଙ୍କ ସହିତ ବାର୍ତ୍ତାଳାପ କରିଥିଲେ । ଏହା ପରେ ବେକରେ ଫାଶୀ ଲଗାଇ ଝୁଲି ପଡ଼ିଥିଲେ । ତାଙ୍କୁ ତୁରନ୍ତ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ନିହାର ମୃତ୍ୟୁ ପୂର୍ବରୁ ଏକ ଭିଡ଼ିଓ ରେକର୍ଡିଂ କରିଛନ୍ତି । ସେ ତାଙ୍କ ଉପରିସ୍ଥ ଅଫିସରଙ୍କ ବିରୁଦ୍ଧରେ ମାନସିକ ନିର୍ଯ୍ୟାତନାର ଅଭିଯୋଗ ଆଣିଛନ୍ତି । ତାଙ୍କ ସ୍ତ୍ରୀ ମଧ୍ୟ କହିଛନ୍ତି ଯେ ନିହାର ଦୀର୍ଘଦିନ ହେବ ମାନସିକ ଅଶାନ୍ତିରେ ରହୁଥିଲେ । କାର୍ଯ୍ୟାଳୟରେ ତାଙ୍କୁ ଚାପ ଦିଆଯାଉଥିବା ସେ କହିଛନ୍ତି । ସେପଟେ ତାଙ୍କ ସହକର୍ମୀ କହିଛନ୍ତି ଯେ ସେ ଅନଲାଇନ୍ ଗେମ୍ ଖେଳୁଥିଲେ । ଏହାସହିତ ବିଭିନ୍ନ ଲୋକଙ୍କଠାରୁ ଧାର ଉଦ୍ଧାର ମଧ୍ୟ କରିଛନ୍ତି । ସେଥିପାଇଁ ସେ ଦୁଶ୍ଚିନ୍ତାରେ ଥିଲେ ।
ସଦର ଥାନା ପୋଲିସ ନିହାରଙ୍କ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ କରିବାକୁ ପଠାଇ ଦେଇଛି । ତଦନ୍ତ ହେବା ପରେ ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି ।