ପିପିଲି : ରୋଗୀ ନେଇ ଯିବା ସମୟରେ ଅଧାବାଟରେ ହୁତୁ ହୁତୁ ହୋଇ ଜଳିଗଲା ଆମ୍ବୁଲାନ୍ସ। ଅଘଟଣରୁ ବର୍ତ୍ତିଲେ ରୋଗୀଙ୍କ ସହ ଆମ୍ବୁଲାନ୍ସର କର୍ମଚାରୀ । ଏପରି ଏକ ଅଘଟଣ ପିପିଲି ସେଲଫି ପଏଣ୍ଟ ନିକଟରେ ଘଟିଛି ।
ସୂଚନା ଅନୁସାରେ, ଡେଲାଙ୍ଗରୁ ଜଣେ ରୋଗୀଙ୍କୁ ନେଇ ୧୦୮ ଆମ୍ବୁଲାନ୍ସ ଭୁବନେଶ୍ୱର ଆସୁଥିଲା । ଏହି ସମୟରେ ଅଧାବାଟରେ ପିପିଲି ସେଲଫି ପଏଣ୍ଟ ନିକଟରେ ଆମ୍ବୁଲାନ୍ସରୁ ଧୂଆଁ ବାହାରିଥିଲା । ଏହା ପରେ ଆମ୍ବୁଲାନ୍ସ ଚାଳକ ଆମ୍ବୁଲାନ୍ସକୁ ଅଟକାଇ ରୋଗୀ, ତାଙ୍କ ସମ୍ପର୍କୀୟ ଓ କର୍ମଚାରୀଙ୍କୁ ବାହାରକୁ କାଢି ଦେଇଥିଲେ । ଏହା ପରେ ଆମ୍ବୁଲାନ୍ସରେ ନିଆଁ ଲାଗିଯାଇଥିଲା। ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିବାକୁ ଲାଗିଲା ଆମ୍ବୁଲାନ୍ସ। ଏନେଇ ପିପିଲି ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।