ରାଉରକେଲା : ରାଉରକେଲାରେ ପୁଣି ଏକ ହତ୍ଯାକାଣ୍ଡ । ମାଆ ପାଇଁ ବାପାକୁ ହତ୍ୟା କଲା ପୁଅ। ରାଉରକେଲା ବ୍ରାହ୍ମଣୀତରଙ୍ଗ ଥାନା ଭାଲୁପାତ୍ର ଅଞ୍ଚଳରେ ଏହି ଚାଞ୍ଚଲ୍ୟକର ଘଟଣା ଘଟିଛି।
ସୂଚନା ଅନୁଯାୟୀ ବିଷ୍ଣୁ ବର୍ମା ନାମକ ଜଣେ ଯୁବକ ନିଜ ବାପା କାର୍ତ୍ତୀ କୁମାର ବର୍ମାଙ୍କୁ ହତ୍ୟା କରିଛି। ଘଟଣା ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ବିଷ୍ଣୁ ନିଜ ମାଆ ହତ୍ୟାର ପ୍ରତିଶୋଧ ନେଇଛି। ଘଟଣାରୁ ଯାହା ଜଣାଯାଇଛି ଗତ କିଛି ବର୍ଷ ତଳେ ବିଷ୍ଣୁଙ୍କ ମାଆଙ୍କୁ ହତ୍ୟା ଅଭିଯୋଗରେ ବାପା ଜେଲ୍ ଯାଇ ଫେରିଥିଲେ। ଗତବର୍ଷ ଡିସେମ୍ବର ମାସରେ ଗାଁକୁ ଫେରିବା ପରେ ବାପା ପୁଅକୁ ଅତ୍ୟାଚାର କରିଥିଲା। ଏଥିରେ ଅତିଷ୍ଠ ହୋଇ ପୁଅ ଆଜି ବାପାକୁ ହତ୍ୟା କରିଥିବା ପୋଲିସ୍ କହିଛି। ଅଭିଯୁକ୍ତ ପୁଅକୁ ଅଟକ ରଖି ତଦନ୍ତ କରୁଛି ପୋଲିସ୍।
ଅନ୍ୟପଟେ ଦିନକୁ ଦିନ ଅଶାନ୍ତ ହୋଇପଡିଲାଣି ସ୍ମାର୍ଟସିଟି ରାଉରକେଲା । ଗତ ପାଞ୍ଚ ଦିନ ମଧ୍ଯରେ ପାଞ୍ଚଟି ମୁଣ୍ଡ ଗଡାଇ ଅପରାଧୀମାନେ ପୋଲିସକୁ ଖୋଲା ଚାଲେଞ୍ଜ ଦେଇଛନ୍ତି। ଗତକାଲି ରଘୁନାଥପାଲି ଥାନା ଏସଆଇଟି ଛକ ପାଖ ରେଲୱେ ଓଭରବ୍ରିଜ ପାଖରେ ଅମ୍ରିତ ମହାକୁଡଙ୍କୁ ହତ୍ୟା କରାଯାଇଥିଲା । ନିଜ ସାଙ୍ଗ ହିଁ ଅମିତଙ୍କ ବେକ କାଟି ହତ୍ୟା କରିଥିଲା । ୧୨ ଏପ୍ରିଲ ଉଦିତନଗର ଥାନା ଅଞ୍ଚଳର ମାଲଗୋଦାମର ଅଞ୍ଚଳରେ ମଧ୍ୟ ଭୋଳା ସିଂ ନାମକ ଯୁବକଙ୍କୁ ମର୍ଡର ହୋଇଥିଲା।
ସେହିପରି ଏପ୍ରିଲ ୯ ତାରିଖରେ ପ୍ଲାଣ୍ଟ ସାଇଡ ଥାନା ଗାନ୍ଧିରୋଡରେ ନିଶାଗସ୍ତ ଅବସ୍ଥାରେ ନିଜ ସାଙ୍ଗର ବେକ କାଟିଥିଲା ଜଣେ ଅଭିଯୁକ୍ତ । ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ପୁଣି ସେହିଦିନ ପ୍ରେମ ବ୍ୟାପାରକୁ କେନ୍ଦ୍ରକରି ଛେଣ୍ଡ ଥାନା ଅଞ୍ଚଳରେ ମୁକେଶ କର ନାମକ ଯୁବକଙ୍କୁ ଦୁର୍ବୁତ୍ତ ମାନେ ସଂଘବଦ୍ଧ ଭାବେ ହତ୍ୟା କରିଥିଲେ।