ବାଲେଶ୍ୱର : ନିଖୋଜ ନାବାଳକକୁ ଉଦ୍ଧାର କଲା ପୋଲିସ। ଦୀର୍ଘ ୯ବର୍ଷ ପରେ ନାବାଳକ ଦିଲ୍ଲୀରୁ ଉଦ୍ଧାର ହୋଇଛି। ପୁଅକୁ ଦେଖି ଆଖିରୁ ଲୋତକ ଝରାଇଛି ମାଆ। ହେଲେ ମାଆ ଅପେକ୍ଷା ବାପାକୁ ଖୋଜୁଛି ପୁଅ। ୯ବର୍ଷ ହେବ ବାପା ପାଖରେ ରହୁଥିବା ପୁଅ ଏବେ କାହା ପାଖରେ ରହିବ ତାକୁ ନେଇ ସସ୍ପେନ୍ସ। ତେବେ ବାପା, ମାଙ୍କ ଝଗଡାରେ ଫଳଲାରେ ନାବାଳକ ପୁଅର ଭବିଷ୍ୟତ ଅନ୍ଧକାରମୟ ହୋଇପଡିଛି।
ସୂଚନା ଅନୁସାରେ, ବାଲେଶ୍ବର ମେଣ୍ଢାଶୁଳ ଅଞ୍ଚଳର ବାସିନ୍ଦା ସୀମା ଶତପଥୀ ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ପ୍ରତ୍ୟକ ଦିନ କଳହ ଲାଗି ରହିଥିଲା। ଏହି ସମୟରେ ସୀମାଙ୍କ ସ୍ୱାମୀ ତାଙ୍କ ୪ବର୍ଷର ଶିଶୁକୁ ନେଇ ଫେରାର ହୋଇଯାଇଥିଲେ। ଏହାପରେ ସୀମା ଓ ତାଙ୍କ ପରିବାର ଲୋକେ ତାଙ୍କର କୌଣସି ଖବର ପାଇନଥିଲେ। କିନ୍ତୁ ପୋଲିସର କଠିନ ପରିଶ୍ରମ ପରେ ଦୀର୍ଘ ସାଢେ ୯ବର୍ଷ ନିଜ ଛୁଆର ଠିକଣା ପାଇଥିଲେ ସୀମା। ଏହାପରେ ସେ ସେଠାରେ ପହଂଚି ନିଜ ଛୁଆକୁ ଫେରାଇ ଦେବା ପାଇଁ ଅନୁରୋଧ କରିଥିଲେ। ହେଲେ ତାଙ୍କ ସ୍ୱାମୀ ପୁଅକୁ ଫେରାଇ ନଥିଲେ । ତେଣୁ ସୀମା କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ବର୍ତ୍ତମାନ କୋର୍ଟଙ୍କ ନିର୍ଦ୍ଦେଶ ପରେ ଦିଲ୍ଲୀରୁ ନାବାଳକକୁ ଉଦ୍ଧାର କରିଛି ପୋଲିସ। ଏହାସହ ବାପା କମଳାକାନ୍ତ ମିଶ୍ରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।