କେନ୍ଦୁଝର ; ମାଓବାଦୀଙ୍କ ବିଷୟରେ ମିଥ୍ୟା ସୂଚନା ପ୍ରସାରଣ ସମ୍ପର୍କରେ ମାମଲା ରୁଜୁ କଲା କେନ୍ଦୁଝର ପୋଲିସ । ଜନସାଧାରଣ ଅଯଥା ଭୟଭୀତ ନହେବାକୁ ନିବେଦନ କଲା ପୋଲିସ । କିଛିଦିନ ପୂର୍ବରୁ ଦୈତାରୀ ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତି ବିଷୟରେ ସୂଚନା ପ୍ରସାରିତ ହୋଇଥିଲା । ପରବର୍ତ୍ତୀ ସମୟରେ ଦୈତାରୀରେ କଥିତ ମାଓ ଗତିବିଧି ବିଷୟରେ ବ୍ୟାପକ ଚିନ୍ତା ଏବଂ ଗଣମାଧ୍ୟମ ରିପୋର୍ଟର ପ୍ରତିକ୍ରିୟାରେ, କେନ୍ଦୁଝର ପୋଲିସ ଏହାର ସତ୍ୟତା ଜାଣିବା ପାଇଁ ଏକ ପୁଙ୍ଖାନୁପୁଙ୍ଖ ଏବଂ ବହୁସ୍ତରୀୟ ତଦନ୍ତ ଆରମ୍ଭ କରିଥିଲା ।
ଏଥିପାଇଁ ବୈଷୟିକ ବିଶେଷଜ୍ଞ, ବୈଜ୍ଞାନିକ କର୍ମଚାରୀ ଏବଂ ଅଭିଜ୍ଞ କ୍ଷେତ୍ର ୟୁନିଟକୁ ନେଇ ଗଠିତ ସ୍ୱତନ୍ତ୍ର ଦଳ ନିୟୋଜିତ କରାଯାଇଥିଲା । ୧ମାସ ଧରି ୫୫ଟି ସିସି ଟିଭି ଏବଂ ଟ୍ରାପ୍ କ୍ୟାମେରା ରେକର୍ଡିଂ ଅନୁଧ୍ୟାନ କରାଯାଇଥିଲା । ଏଥିରେ ମାଓବାଦୀଙ୍କର କୌଣସି ଗତିବିଧି ଦେଖିବାକୁ ମିଳି ନଥିଲା । ଏଥିରେ କେବଳ ବନ କର୍ମଚାରୀ ଏବଂ ସାଧାରଣ ନାଗରିକଙ୍କୁ ଦେଖାଯାଇଥିଲା । ଏହି ତଦନ୍ତରୁ ଜଣାପଡିଛି ଯେ କିଛି ବନ ଅଧିକାରୀ, ଶିକାର କାର୍ଯ୍ୟରେ ଜଡିତ ହୋଇ ଏହାକୁ ମାଓ ଆନ୍ଦୋଳନ ନାଁରେ ମିଥ୍ୟା ପ୍ରଚାର କରିଥିଲେ । ଫଳରେ, ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡ଼ିଥିଲେ । ଏହି ତଦନ୍ତ ଆଧାରରେ ଦୈତାରୀ ଥାନାରେ କେସ ନମ୍ବର ୩୧/୨୦୨୫ ରେ ଏକ ମାମଲା ରୁଜୁ କରାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅତିରିକ୍ତ ଏସପି ମନୋଜ ରାଉତ । ଜନସାଧାରଣ ଏଥିରେ ଅଯଥା ଭୟଭୀତ ନହେବାକୁ ସେ ନିବେଦନ କରିଛୁନ୍ତି ।