ବରଗଡ: ଦନ୍ତା ଆକ୍ରମଣରେ ଚାଲିଗଲା ଜଣେ ମହିଳାଙ୍କ ଜୀବନ। ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଟୁରଚା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୃତ ମହିଳାଙ୍କ ପରିଚୟ ମିଳି ପାରିନାହିଁ। ତେବେ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏପରିକି ବନ ବିଭାଗ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ହାତୀର ଗତିବିଧି ଉପରେ ନଜର ରଖିଛି।
ସୂଚନା ଅନୁଯାୟୀ, ବୁଧବାର ସକାଳୁ ସକାଳୁ ଗାଁର ଦୁଇ ଜଣ ମହିଳା ମହୁଲ ଗୋଟାଇବାକୁ ଜଙ୍ଗଲ ଭିତରକୁ ଯାଉଥିଲେ। ସେହି ସମୟରେ ହଠାତ ହାତୀ ସେମାନଙ୍କ ଉପରକୁ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଆହତ ମହିଳାଙ୍କର ଚିକିତ୍ସା ଚାଲିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ମୃତ ମହିଳାଙ୍କ ପରିଚୟ ମିଳିପାରିନାହିଁ। ତେବେ ଖବରପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀ ଗତିବିଧି ଉପରେ ନଜର ରଖିଛି ଏବଂ ଦନ୍ତାଟି କେଉଁଠୁ ଆସିଲା ସେ ନେଇ ତଦନ୍ତ କରୁଛି।