ଭୁବନେଶ୍ୱର: ରାଜ୍ୟରେ ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ । ଏହା ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ନିଜର ସାଙ୍ଗଠନିକ ସ୍ଥିତିକୁ ସୁଦୃଢ଼ କରିବାକୁ ଉଦ୍ୟମ ଆରମ୍ଭ କରିଦେଇ ସାରିଲେଣି । ଏବେ ସମାଜବାଦୀ ପାର୍ଟିର ନଜର ଓଡ଼ିଶା ଉପରେ ପଡ଼ିଛି । ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ଓଡ଼ିଶା ଗସ୍ତକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି । ଦେଶରେ ଜାତି ଗତ ଜନ ଗଣନା ଉପରେ ଗୁରୁତ୍ୱାରୋପ କରିଛନ୍ତି ଅଖିଳେଶ ।
ସପା ମୁଖ୍ୟ ଅଖିଳେଶ ଯାଦବ ଓ ତାଙ୍କ ପତ୍ନୀ ଡିମ୍ପଲ ଯାଦବ ବୁଧବାର ଓଡ଼ିଶାରେ ପହଁଚିଛନ୍ତି । ଏହା ପରେ ସେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ବରିଷ୍ଠ ନେତା ଶ୍ରୀକାନ୍ତ ଜେନାଙ୍କୁ ସାକ୍ଷାତ କରିଛନ୍ତି । ଶ୍ରୀକାନ୍ତ ସହିତ ସାକ୍ଷତ କରିବା ପରେ ସାମ୍ବାଦିକ ସମ୍ମିଳନୀରେ ବିଜେପି ଉପରେ ବର୍ଷିଛନ୍ତି । ଓଡ଼ିଶାରେ ସପାର ସଙ୍ଗଠନ ଗଢ଼ିବାକୁ ଅଣ୍ଟା ଭିଡ଼ିଛନ୍ତି ଅଖିଳେଶ । ବଡ଼ ସଙ୍ଗଠନ ନାହିଁ । ଲୋକଙ୍କୁ ଯୋଡ଼ିବା ନେଇ ଉଦ୍ୟମ କରାଯିବ । ଏହା ସହିତ ସେ ଜାତିଗତ ଜନ ଗଣନା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଜାତି ଗତ ଜନଗଣନା ବିନା ସାମାଜିକ ନ୍ୟାୟ ମିଳିବା ସମ୍ଭବ ହେବ ନାହିଁ ବୋଲି କହିଛନ୍ତି ଅଖିଳେଶ । ଓଡ଼ିଶାରେ କଂଗ୍ରେସ ଏହି ସ୍ୱର ଉତ୍ତୋଳନ କରିଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି ।
ଏହା ପୂର୍ବରୁ ସେ ସେ ବିମାନ ବନ୍ଦରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ କଂଗ୍ରେସ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପ୍ରତିଷ୍ଠା କରିଥିଲା । ଆଜି ଇଡି ପାଇଁ ତାଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ଆର୍ଥିକ ଦୁର୍ନୀତିର ତଦନ୍ତ ପାଇଁ ଅନେକ ସଂସ୍ଥା ରହିଛି । ତେଣୁ ଇଡିର କୌଣସି ଆବଶ୍ୟକତା ନାହିଁ । ତେଣୁ ଇଡିକୁ ସମାପ୍ତ କରିବା ଉଚିତ । ତେବେ ଅଖିଳେଶ ଯାଦବ ଏବଂ ଡିମ୍ପଲ ଯାଦବ ପୁରୀ ଗସ୍ତ କରି ମହାପ୍ରଭୁଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।