କୋଲକାତା: ପଶ୍ଚିମବଙ୍ଗରେ ୱକଫ୍ ବିରୋଧୀ ହିଂସାର ନିଆଁ ଧିରେ ଧିରେ ତେଜିବାରେ ଲାଗିଛି । ଶନିବାରଠାରୁ ଆରମ୍ଭ ହୋଇଥିବା ହିଂସା ଏ ପର୍ଯ୍ୟନ୍ତ ଥମିବାର ନାଁ ଧରୁ ନାହିଁ । ମୁର୍ଶିଦାବାଦ, ମାଲଦା, ପରେ ଏବେ ଦାର୍ଜିଲିଂରେ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଛି । ସେପଟେ ଦକ୍ଷିଣ ୨୪ ପରଗନାରେ ପୋଲିସ ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି ଉପଦ୍ରବକାରୀ ।
ଦାର୍ଜିଲିଂ ଦିଲ୍ଲାର ସିଲିଗୁଡ଼ି ସହରର ହିଂସା ଦେଖାଦେଇଛି । ଚରକ ପୂଜା କରୁଥିବା ଲୋକଙ୍କ ଉପରେ ଆକ୍ରମଣ ହୋଇଥିବା ଜଣାପଡ଼ିଛି । ସିଲିଗୁଡ଼ି ନଗର ନିଗମ ଅଧିନସ୍ଥ ୪ ନମ୍ବର ୱାର୍ଡରେ ଦୁଇ ସଂପ୍ରଦାୟ ମଧ୍ୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ଦୁଇ ପକ୍ଷରୁ ବ୍ୟାପକ ପଥର ମାଡ଼ କରାଯାଇଥିବା ଜଣାପଡ଼ିଛି । କିଛି ଲୋକଙ୍କ ଘର କାଚ ମଧ୍ୟ ଭାଙ୍ଗି ଯାଇଛି । ପରିସ୍ଥିତିର ଗମ୍ଭୀରତାକୁ ଦେଖି ସିଲିଗୁଡ଼ି ପୋଲିସ ଡିସିପି (ପଶ୍ଚିମ) ବିସି ଠାକୁର, ଡିସିପି (ମୁଖ୍ୟାଳୟ) ତନ୍ମୟ ସରକାର ଏବଂ ପୋଲିସ କମିଶନର ସି ସୁଧାକରଙ୍କ ଉକ୍ତ ଅଞ୍ଚଳରେ ପହଞ୍ଚିଛନ୍ତି । ପୋଲିସ ଉଭୟ ପକ୍ଷଙ୍କୁ ଘଉଡ଼ାଇବାରେ ସକ୍ଷମ ହୋଇଛି । ଏହା ପରେ ସମ୍ପୃକ୍ତ ଅଞ୍ଚଳରେ ଦୁଇ କମ୍ପାନୀ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।
ପୋଲିସ କମିଶନର ସି ସୁଧାକର କହିଛନ୍ତି ଯେ ଏକ ଗୁଜବ ଯୋଗୁଁ ଦୁଇଟି ଗୋଷ୍ଠୀ ମଧ୍ୟରେ ବିବାଦ ହୋଇଥିଲା। ପଥର ଫିଙ୍ଗାଫିଙ୍ଗା ମଧ୍ୟ ହୋଇଥିଲା। ସୂଚନା ମିଳିବା ମାତ୍ରେ ପୋଲିସ ଦାୟିତ୍ୱ ନେଇଥିଲା। ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣରେ ଅଛି । ଚରକ ପୂଜା ପାଇଁ ଅଞ୍ଚଳରେ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଗୁଜବରେ ଧ୍ୟାନ ନଦେବାକୁ ଲୋକଙ୍କୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି ।
ସେପଟେ ଦକ୍ଷିଣ ୨୪ ପରଗନାର ଭାଙ୍ଗରେ ପ୍ରଦର୍ଶନକାରୀମାନେ ପୋଲିସ ଗାଡ଼ିଗୁଡ଼ିକୁ ନିଆଁ ଲଗାଇ ଦେଇଛନ୍ତି ଓ ପ୍ରବଳ ଭଙ୍ଗାରୁଜା ମଧ୍ୟ କରିଛନ୍ତି । ଏହି ଅଞ୍ଚଳରେ ବହୁ ସଂଖ୍ୟକ ପୋଲିସ ମୁତୟନ କରାଯାଇଛି। ଦକ୍ଷିଣ ୨୪ ପରଗନାରେ, ISF ବିଧାୟକ ନୌସାଦ ସିଦ୍ଦିକୀ ୱାକଫ ଆଇନ ବିରୋଧରେ ପ୍ରତିବାଦ କରୁଥିବାବେଳେ ପୋଲିସ ପ୍ରତିବାଦକାରୀମାନଙ୍କୁ ବିକ୍ଷୋଭରୁ ବିରତ ରହିବାକୁ କହିଥିଲା । ଏହା ପରେ, ପ୍ରଦର୍ଶନକାରୀମାନେ ହିଂସାତ୍ମକ ହୋଇ ବରମପୁରରେ ରାସ୍ତା ଅବରୋଧ କରିଥିଲେ ଏବଂ ପୋଲିସ ଲାଠିଚାର୍ଜ କରିଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଏହି ହିଂସାରେ ଏଯାବତ ୩ ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ପୋଲିସ କାର୍ଯ୍ୟାନୁଷ୍ଠାନ ସ୍ୱରୁପ ପ୍ରାୟ ୧୫୦ରୁ ଉର୍ଦ୍ଧ୍ୱ ଲୋକଙ୍କୁ ଗିରଫ କରିସାରିଲାଣି । ସେପଟେ ମୁର୍ଶିଦାବାଦରେ ହିନ୍ଦୁମାନେ ଭୟରେ ଯାଇ ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ।