ଢେଙ୍କାନାଳ: ଦୀର୍ଘ ୭ ବର୍ଷ ପରେ ମାଆ କୋଳକୁ ଫେରିଆସିଲା ହଜି ଯାଇଥିବା ପୁଅ। ପିଲାବେଳେ ମାମୁଁ ଘରକୁ ଯାଇଥିବା ବେଳେ ହଜି ଯାଇଥିଲା ପୁଅ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବାଉଁଶପାଳ ପଞ୍ଚାୟତ ଅନ୍ତର୍ଗତ ଗୋପିଗାଡିଆ ସାହିରେ ।
ସୂଚନା ମୂତାବକ ଗୋପିଗାଡିଆ ସାହି ଅଞ୍ଚଳର ବୁଦ୍ଧିମନ୍ତ ନାୟକ ଓ ଟେରି ନାୟକଙ୍କ ପୁଅ ସନ୍ତୋଷ ନାୟକ ଆଜିକୁ ଦୀର୍ଘ ସାତ ବର୍ଷ ତଳେ କେଉଁଆଡ଼େ ଚାଲିଯାଇଥିଲେ । ବାପା ବୁଦ୍ଧିମନ୍ତ ନାୟକଙ୍କର ୩ ବର୍ଷ ତଳେ ମୃତ୍ୟୁ ଘଟିସାରିଛି । ଦୁଇ ଭାଇ ଶ୍ରୀକାନ୍ତ ଓ ପ୍ରଶାନ୍ତ ଏବଂ ଏକମାତ୍ର ଭଉଣୀ ଅଲି ନାୟକ ମଧ୍ୟ ଏ ଦୁନିଆରେ ଆଉ ନାହାନ୍ତି । ତେବେ ସାନ ପୁଅ ସନ୍ତୋଷଙ୍କ ମୁହଁକୁ ଚାହିଁ ଜୀବନ ବିତାଉଥିଲେ ଟେରି ନାୟକ । ସେ ମଧ୍ୟ ୭ ବର୍ଷ ତଳେ କେଉଁ ଆଡେ ଚାଲି ଯିବାରୁ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ ଟେରି । ସେ ଭାବି ନେଇଥିଲେ ଯେ ତାଙ୍କ ସାନ ପୁଅ ମଧ୍ୟ ଏ ଦୁନିଆଁରେ ନାହିଁ।
ହେଲେ ବିଧିର ବିଧାନ ଥିଲା କିଛି ଅଲଗା। ପୁଣି ଥରେ ମାଆ କୋଳକୁ ଫେରି ଆସିଛି ପୁଅ। ସ୍ଥାନୀୟ ସରପଞ୍ଚ ଏବଂ ପୋଲିସ ପ୍ରଶାସନର ଉଦ୍ୟମରେ ସନ୍ତୋଷଙ୍କର ଘର ବାହୁଡା଼ ହୋଇଛି। ମଧ୍ୟପ୍ରଦେଶରେ ସେ ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିଲେ। ମାତ୍ର ଘରକୁ ଫେରିବାର ବାଟ ଭୁଲି ଯାଇଥିଲେ। ମଧ୍ୟପ୍ରଦେଶ ପୋଲିସ ପ୍ରଶାସନର ସହଯୋଗରେ ସେ ଜନ୍ମ ମାଟିକୁ ଫେରି ପାରିଛନ୍ତି । ଯାହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ପରିବାର ଲୋକେ।