ଯାଜପୁର: ଶାସନରୁ ସିନା ଚାଲି ଯାଇଛନ୍ତି କିନ୍ତୁ ବିଜୁ ଜନତା ଦଳର ନେତାଙ୍କ ଅହଂକାର ଭାଙ୍ଗି ନାହିଁ । ବାରମ୍ବାର ଗଣ୍ଡାଗର୍ଦ୍ଦି କରୁଥିବା ଦେଖିବାକୁ ମିଳିଛି । ଯାଜପୁର ଜିଲ୍ଲା ବରୀ ବିଜେଡି ବିଧାୟକ ବିଶ୍ୱ ରଞ୍ଜନ ମଲ୍ଲିକଙ୍କ ନାମରେ ସାଙ୍ଘାତିକ ଅଭିଯୋଗ ଆସିଛି । ଜଣେ ଆଦିବାସୀ କନିଷ୍ଠ ସହକାରୀ ରାଜସ୍ୱ କର୍ମଚାରୀଙ୍କୁ ମାଡ଼ ମାରିଥିବା ନେଇ ହୋଇଛି ଅଭିଯୋଗ । ପୀଡ଼ିତ କର୍ମଚାରୀ ଜଣକ ହେଲେ ଅମର ରଞ୍ଜନ ନାୟକ । ଏ ନେଇ ସେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ବିଜେଡ଼ି ବିଧାୟକ ବିଶ୍ୱ ରଞ୍ଜନ ମଲ୍ଲିକ ବ୍ଲକ୍ କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ କନିଷ୍ଠ ରାଜସ୍ୱ କର୍ମଚାରୀ ଅମର ରଞ୍ଜନ ନାୟକଙ୍କୁ ଦୁର୍ବ୍ୟବହାର କରିବା ସହିତ ତାଙ୍କୁ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି । ଏମିତିକି ତାଙ୍କ ସମର୍ଥକମାନେ ତାଙ୍କୁ ବିଧା ଗୋଇଠା ମଧ୍ୟ ମାରିଛନ୍ତି । ଏ ନେଇ ସେ ରାମଚନ୍ଦ୍ରପୁର ଥାନାରେ ଏଫ୍ଆଇଆର୍ ଦାଖଲ କରିଛନ୍ତି । ଏହା ସହିତ ଯାଜପୁର ଜ଼ିଲ୍ଲାପାଳଙ୍କୁ ଭେଟି ଘଟଣା ବିଷୟରେ ଅବଗତ କରାଇବା ସହ ଯାଜପୁର ଏସପିଙ୍କ କାର୍ଯ୍ୟାଳୟକୁ ଯାଇ ଘଟଣା ସମ୍ପର୍କରେ ଜଣାଇଛନ୍ତି ।
ଅମର ବ୍ଲକ ଅଫିସରେ ସାଢେ 3 ବର୍ଷ ହେବ କାର୍ଯ୍ୟ କରୁଛନ୍ତି । ସରକାରୀ ନିୟମକୁ ଉଲଂଘନ କରି କାର୍ଯ୍ୟ କରିବାକୁ ତାଙ୍କ ଉପରେ ଚାପ ପ୍ରୟୋଗ କରାଯାଉଛି । ବିଜେଡ଼ି ବିଧାୟକ ତାଙ୍କୁ ତାଗିଦ ମଧ୍ୟ କରିଛନ୍ତି । ତାଙ୍କ ଜୀବନ ଉପରେ ବିପଦ ଥିବା ସେ କହିଛନ୍ତି ।