ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀଙ୍କ ନୃଶଂସ ହମଲା ପରେ ଭାରତ ପାକିସ୍ତାନ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନରେ ଅନୁଷ୍ଠିତ ସିସିଏସ ବୈଠକରେ ଅନେକ ଗୁରୁତ୍ଵପୂର୍ଣ୍ଣ ନିର୍ଣ୍ଣୟ ନିଆଯାଇଛି। ଭାରତରେ ପାକିସ୍ତାନୀ ଦୂତାବାସ ବନ୍ଦ, ସିନ୍ଧୁ ଜଳ ଚୁକ୍ତିନାମା ବାତିଲ, ପାକିସ୍ତାନୀ ଭିସା ବାତିଲ ଆଦି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଅଟାରୀ-ଓ୍ଵାଘା ବର୍ଡର ତତ୍କାଳ ପ୍ରଭାବରୁ ବନ୍ଦ ଘୋଷଣା କରିଛି ଭାରତ। ଆଶା କରାଯାଉଛି ଏହି ନିର୍ଣ୍ଣୟରେ ପାକିସ୍ତାନକୁ ବଡ଼ ଝଟକା ଲାଗିବ ଏବଂ ଜଳ ସଙ୍କଟ ସ୍ଥିତି ଉପୁଜିଲେ ପାକିସ୍ତାନ ଠିକ୍ ବାଟକୁ ଆସିବ।
ସବୁ ପ୍ରକାରର ପାକିସ୍ତାନ ଭିସା ରଦ୍ଦ କରାଯିବ ସହ ପାକିସ୍ତାନୀ ନାଗରିକଙ୍କୁ ୪୮ ଘଣ୍ଟା ଭିତରେ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ପାକିସ୍ତାନ ଓ ଭାରତ ମଧ୍ୟରେ ଯାତାୟତର ମୁଖ୍ୟ ମାର୍ଗ ଅଟାରୀ ଓ୍ଵାଘା ବର୍ଡରକୁ ତତ୍କାଳ ପ୍ରଭାବରୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ପାକିସ୍ତାନ ନାଗରିକଙ୍କୁ ଭାରତ ଯାତ୍ରା କରିବାକୁ ଏବେ ଅନୁମତି ମିଳିବ ନାହିଁ ଏବେଂ ସେମାନଙ୍କୁ ଭିସା ଦିଆଯିବ ନାହିଁ। ଭାରତୀୟ ଉଚ୍ଚାୟୋଗକୁ ମଧ୍ୟ ପାକିସ୍ତାନ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ପାକିସ୍ତାନ ସମର୍ଥିତ ଆତଙ୍କବାଦୀମାନେ ୨୬ ପର୍ଯ୍ୟଟକଙ୍କୁ ଗୁଳି କରି ହତ୍ୟା କରିବା ପରେ ସରକାରଙ୍କଠୁ କଠୋର କାର୍ଯ୍ୟାନୁଷ୍ଠାନର ଆଶା ଥିଲା। ଆଉ ସରକାର ଆଗକୁ ବଢି ଏହି କଡ଼ା ନିର୍ଣ୍ଣୟ ନେଇଛନ୍ତି।
ଭାରତ ପାକିସ୍ତାନ ବିପକ୍ଷରେ ନେଇଥିବା ୫ ବଡ଼ ନିଷ୍ପତ୍ତି
୧- ୧୯୬୦ ମସିହାର ସିନ୍ଧୁ ଜଳ ଚୁକ୍ତିନାମା ତତ୍କାଳ ପ୍ରଭାବରୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ଯେ ପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦ ବିରୋଧରେ ବିଶ୍ଵସନୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିଛି ସେ ପର୍ଯ୍ୟନ୍ତ ଏହି ରୋକ୍ ଜାରି ରହିବ।
୨- ଭାରତ ଓ ପାକିସ୍ତାନ ମଧ୍ୟରେ ଯାତାୟତର ମୁଖ୍ୟ ଦ୍ଵାର ଅଟାରୀ-ଓ୍ଵାଘା ବର୍ଡରକୁ ତତ୍କାଳ ପ୍ରଭାବରୁ ବନ୍ଦ କରାଯାଇଛି। ଯେଉଁ ଲୋକେ ବୈଧ୍ୟ ଭିସା ଜରିଆରେ ପାକିସ୍ତାନ ଯାଇଛନ୍ତି, ସେମାନେ ୨୦୨୫ ମେ ୧ ତାରିଖ ପୂର୍ବରୁ ସେହି ମାର୍ଗ ଦେଇ ଭାରତ ଆସି ପାରିବେ।
୩- ସାର୍କ ଭିସା ଯୋଜନା ଜରିଆରେ ଏବେ ଆଉ ପାକିସ୍ତାନୀ ନାଗରିକଙ୍କୁ ଭାରତ ଯାତ୍ରା ଅନୁମତି ମିଳିବ ନାହିଁ। ପୂର୍ବରୁ ପାକିସ୍ତାନୀ ନାଗରିକଙ୍କ ପାଇଁ ଜାରି ହୋଇଥିବା ସବୁ ପ୍ରକାରର ଭିସା ରଦ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ଏସଭିଇଏସ ଭିସା ଆଧାରରେ ଭାରତରେ ଥିବା କୌଣସି ବି ପାକିସ୍ତାନୀ ନାଗରିକଙ୍କୁ ୪୮ ଘଣ୍ଟା ଭିତରେ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି।
୪- ନୂଆଦିଲ୍ଲୀରେ ପାକିସ୍ତାନୀ ଦୂତାବାସର ସାମରିକ ପରାମର୍ଶଦାତା ସପ୍ତାହେ ଭିତରେ ଭାରତ ଛାଡ଼ିବେ। ପାକିସ୍ତାନରେ ଥିବା ଭାରତୀୟ ଦୂତାବାସ ମଧ୍ୟ ତୁରନ୍ତ ପାକିସ୍ତାନ ଛାଡ଼ିବେ। ଏହା ବ୍ୟତୀତ ଇସଲାମାବାଦ ସ୍ଥିତ ସାମରିକ ପରାମର୍ଶଦାତାଙ୍କୁ ଭାରତ ଫେରି ଆସିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
୫- ନୂଆଦିଲ୍ଲୀ ସ୍ଥିତ ପାକିସ୍ତାନୀ ଦୂତାବାସରେ କର୍ମଚାରୀ ସଂଖ୍ୟା ଏବେ କମ କରାଯିବ। ଏ ପର୍ଯ୍ୟନ୍ତ ୫୫ କର୍ମଚାରୀ ରହୁଥିଲେ, ଯାହାକୁ ହ୍ରାସ କରି ୩୦ କରାଯିବ। ଏହା ବ୍ୟତୀତ ପାକିସ୍ତାନରେ ମଧ୍ୟ ନିଜର ପ୍ରତିନିଧିଙ୍କୁ ଭାରତ ଫେରାଇ ଆଣିବ ଏବଂ ଏହି ସଂଖ୍ୟା ୩୦ରେ ରହିବ।