ନୂଆଦିଲ୍ଲୀ: ପହଲଗାମ ଆତଙ୍କୀଙ୍କ ବର୍ବର କାଣ୍ଡରେ ପ୍ରାଣ ହରାଇଥିବା ସମସ୍ତଙ୍କ ମୃତକଙ୍କ ତାଲିକା ଜାରି ହୋଇଛି। ମୃତକଙ୍କ ମଧ୍ୟରେ ସବୁଠୁ ଅଧିକ ମହରାଷ୍ଟ୍ରରୁ ରହିଛନ୍ତି। ମହାରାଷ୍ଟ୍ରରୁ ୬ ଜଣ ରହିଥିବା ବେଳେ ଏହା ପଛକୁ କର୍ଣ୍ଣାଟକ, ଓ ଗୁଜୁରାଟରୁ ୩ ଜଣ ଲେଖାଏଁ ରହିଛନ୍ତି। ସେହିପରି ପଶ୍ଚିମବଙ୍ଗରୁ ୨ଜଣ, ଉତ୍ତରପ୍ରଦେଶ, ଓଡ଼ିଶା, ବିହାର, ହରିୟାଣା, ଉତ୍ତରାଖଣ୍ଡ, କେରଳ, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ଅରୁଣାଚଳ ପ୍ରଦେଶରୁ ଜଣେ ଲେଖାଏଁ ପର୍ଯ୍ୟଟକ ରହିଛନ୍ତି। ଏହା ସହିତ ଆକ୍ରମଣରେ ନେପାଳର ଜଣେ ପର୍ଯ୍ୟଟକ ଏବଂ ପହଲଗାମର ଜଣେ ସ୍ଥାନୀୟ ବ୍ୟକ୍ତି ମଧ୍ୟ ପ୍ରାଣ ହରାଇଛନ୍ତି।ମଙ୍ଗଳବାର କାଶ୍ମୀର ଉପତ୍ୟକା ରକ୍ତ ରଞ୍ଜିତ ହୋଇଥିଲା । ଅପରାହ୍ଣ ପ୍ରାୟ ୩ଟାରେ ଆତଙ୍କବାଦୀଙ୍କ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କ ଜୀବନ ଯାଇଥିବା ବେଳେ ଅନେକ ଆହତ ହୋଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫୋନ୍ ଯୋଗ କଥା ଗୃହମନ୍ତ୍ରୀ ଅମିତ୍ ଶାହଙ୍କୁ କାଶ୍ମୀର ଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ତତ୍କାଳରେ ଶ୍ରୀନଗର ପହଞ୍ଚିଥିଲେ । ସେଠାରେ ସେ ସୁରକ୍ଷା ଏଜେନ୍ସିଗୁଡ଼ିକ ସହ ବୈଠକ କରି ସ୍ଥିତି ବୁଝିଥିଲେ । ବୁଧବାର ସକାଳରେ ପ୍ରାଣ ହରାଇଥିବା ପର୍ଯ୍ୟଟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଘଟଣାସ୍ଥଳକୁ ଯାଇ ସମୀକ୍ଷା କରିଥିଲେ । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ସାଉଦି ଗସ୍ତକୁ ଅଧାରୁ ସାରି ଦିଲ୍ଲୀ ଫେରିଥିଲେ ।