ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରେ ଏବେ ପ୍ରତିଶୋଧର ନିଆଁରେ ଜଳୁଛନ୍ତି ଦେଶର ଜନତା । ସର୍ଜକାଲ ଷ୍ଟ୍ରାଇକ୍ ଏବଂ ଏୟାର ଷ୍ଟ୍ରାଇକ୍ ପରି ଆକ୍ସନ ନେବାକୁ ଦାବି ବଢ଼ୁଛି । କେନ୍ଦ୍ର ସରକାର ମଧ୍ୟ ଘନ ଘନ ବୈଠକ କରୁଛନ୍ତି । କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତିନି ସେନା ମୁଖ୍ୟଙ୍କ ସହିତ ଜରୁରୀ ବୈଠକ କରିଛନ୍ତି । ଏହି ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ପାଖରେ ପହଁଚିବା ସହିତ ପରଦା ପଛର ବ୍ୟକ୍ତିଙ୍କୁ ମଧ୍ୟ ଛଡ଼ା ଯିବ ନାହିଁ ବୋଲି କଡ଼ା ଚେତାବନୀ ପ୍ରତିରକ୍ଷା ମନ୍ତ୍ରୀ ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବୁଧବାର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଜମ୍ମୁ ଏବଂ କାଶ୍ମୀରର ସୁରକ୍ଷା ପରିସ୍ଥିତି ସମୀକ୍ଷା କରିଛନ୍ତି । ଏହି ବୈଠକରେ ପ୍ରତିରକ୍ଷା ମୁଖ୍ୟ ଜେନେରାଲ ଅନିଲ ଚୌହାନ, ତିନି ସେନାର ମୁଖ୍ୟ, ପ୍ରତିରକ୍ଷା ସଚିବ ଏବଂ ସେନାର ସାମରିକ ଅଭିଯାନର ମହାନିର୍ଦ୍ଦେଶକ ଉପସ୍ଥିତ ଥିଲେ । ପ୍ରତିରକ୍ଷା ମନ୍ତ୍ରୀ ସଶସ୍ତ୍ର ବାହିନୀକୁ ଆତଙ୍କବାଦ ବିରୋଧୀ ଅଭିଯାନକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହ ଦେଶବାସୀଙ୍କୁ ଆଶ୍ୱସନା ଦେଇଛନ୍ତି । ଆତଙ୍କବାଦୀଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ଗ୍ରହଣ କରାଯିବ । ପହଲଗାମରେ ନିର୍ଦ୍ଦିଷ୍ଟ ଧର୍ମର ଲୋକଙ୍କୁ ଟାର୍ଗେଟ୍ କରାଗଲା । ଯାହାକି କାପୁରୁଷର କାମ ଅଟେ । ଯେଉଁଥିରେ କେତେ ନିର୍ଦ୍ଦୋଷ ଲୋକଙ୍କର ପ୍ରାଣ ଗଲା । ଏହା ବିରୋଧରେ ସରକାର ଠୋସ୍ ପଦକ୍ଷେପ ନେବେ ବୋଲି କହିଛନ୍ତି ମନ୍ତ୍ରୀ । ଷଡ଼ଯନ୍ତ୍ରକାରୀଙ୍କୁ ଧରିବା ସହିତ ପରଦା ପଛରେ ଥିବା ଲୋକଙ୍କ ନିକଟରେ ପହଁଚିବୁ ।
ଆତଙ୍କବାଦ ବିରୁଦ୍ଧରେ ଆମର ଶୂନ୍ୟ ସହନଶୀଳତା ନୀତି ରହିଛି । ଏହି କାପୁରୁଷ କାର୍ଯ୍ୟ ବିରୁଦ୍ଧରେ ଭାରତର ପ୍ରତ୍ୟେକ ନାଗରିକ ଏକଜୁଟ ହୋଇଛନ୍ତି । ଭାରତକୁ ଭୟଭୀତ କରାଯାଇପାରିବ ନାହିଁ । ଭାରତ ସରକାର ଆବଶ୍ୟକ ଏବଂ ଉପଯୁକ୍ତ ପ୍ରତ୍ୟେକ ପଦକ୍ଷେପ ନେବେ ବୋଲି ଆଶ୍ୱସନା ଦେଇଛନ୍ତି ।