ଶ୍ରୀନଗର: ଜାମ୍ମୁକାଶ୍ମୀର ପହଲାଗାମରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ବଡ଼ ଆତଙ୍କୀ ଆକ୍ରମଣକୁ ନେଇ ସାରା ଦେଶ ଏବେ ସ୍ତବ୍ଧ। ଆକ୍ରମଣରେ ପ୍ରାଣ ହରାଇଛନ୍ତି ୨୬ରୁ ଅଧିକ ପର୍ଯ୍ୟଟକ। ୨୦୧୯ରେ ହୋଇଥିବା ପୁଲଓ୍ବାମା ଆକ୍ରମଣ ପରେ ଏହା ସବୁଠାରୁ ବଡ଼ ଆତଙ୍କବାଦୀ ଆକ୍ରମଣ ବୋଲି କୁହାଯାଉଛି। ତେବେ ଏଇ ଘଟଣାକୁ ନେଇ ପର୍ଯ୍ୟଟକମାନଙ୍କ ମଧ୍ୟରେ ଏତେ ଭୟ ସୃଷ୍ଟି ହୋଇଛି ଯେ ସେମାନେ ଆଗାମୀ ୪-୫ ମାସର ବୁକିଂ ବାତିଲ କରିବା ଆରମ୍ଭ କରିଛନ୍ତି। ଏହାର ସିଧାସଳଖ ପ୍ରଭାବ ସ୍ଥାନୀୟ କାଶ୍ମୀରୀ ଲୋକଙ୍କ ଉପରେ ଏବଂ ସେଠାର ଅର୍ଥନୀତି ଉପରେ ପଡ଼ିବ। ଏହି କ୍ଷତିର ପରିମାଣ ଆମ କଳ୍ପନାଠାରୁ ବି ଅଧିକ ହୋଇପାରେ।
ଚଲୋ ଘୂମନେ ଟୁର ଏଣ୍ଡ ଟ୍ରାଭେଲର ଅପରେସନ ହେଡ କୀର୍ତ୍ତି ଅଗ୍ରୱାଲ କହିଛନ୍ତି ଯେ ପହଲଗାମ ଆକ୍ରମଣ ପରେ ଆଗାମୀ ୪-୫ ମାସର ସମସ୍ତ ବୁକିଂ ବାତିଲ କରିବା ପାଇଁ ଫୋନ ଆସୁଛି। ଏହି ଆକ୍ରମଣ ସ୍ଥାନୀୟ ବ୍ୟବସାୟୀ ଏବଂ ପର୍ଯ୍ୟଟନ ଉଦ୍ୟୋଗକୁ ବହୁତ କ୍ଷତି ପହଞ୍ଚାଇବ।
କଶ୍ମୀର, ଯାହାକୁ ‘ପୃଥିବୀର ଭୂସ୍ବର୍ଗ’ ବୋଲି କୁହାଯାଏ, ତା’ର ପ୍ରାକୃତିକ ସୌନ୍ଦର୍ଯ୍ୟ ଯୋଗୁଁ ଦେଶ-ବିଦେଶ ପର୍ଯ୍ୟଟକଙ୍କ ପାଇଁ ଏକ ପ୍ରମୁଖ ଗନ୍ତବ୍ୟସ୍ଥଳ ଭାବରେ ଜଣାଶୁଣା। ପହଲଗାମ, ଗୁଲମାର୍ଗ, ସୋନମାର୍ଗ ଓ ଡାଲ ଲେକ ଭଳି ସ୍ଥାନଗୁଡିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ୨୦୨୪ ମସିହାରେ ପ୍ରାୟ ୨୩୬ ଲକ୍ଷ ପର୍ଯ୍ୟଟକ କଶ୍ମୀର ପରିଦର୍ଶନ କରିଥିଲେ। ଯେଉଁଥିରୁ ୬୫,୦୦୦ରୁ ଅଧିକ ବିଦେଶୀ ପର୍ଯ୍ୟଟକ ଥିଲେ।
କାଶ୍ମୀରରୁ ଧାରା ୩୭୦ ହଟିବା ପରେ ପର୍ଯ୍ୟଟକଙ୍କ ଆଗମନ ମଧ୍ୟ ବହୁତ ବୃଦ୍ଧି ପାଇଛି। ଜମ୍ମୁ-କାଶ୍ମୀରର ମୁଖ୍ୟମନ୍ତ୍ରୀ ଓମାର ଆବଦୁଲ୍ଲା କହିଥିଲେ ଯେ, ୨୦୨୪ ମସିହାରେ କାଶ୍ମୀର ଉପତ୍ୟକାକୁ ୨.୩୫ କୋଟି ପର୍ଯ୍ୟଟକ ଆସିଥିଲେ, ଯାହା ୨୦୨୩ରେ ୨.୧୧ କୋଟି ଥିଲା। ୨୦୨୨ରେ ୧.୮୯ କୋଟି, ୨୦୨୧ରେ ୧.୧୩ କୋଟି ଏବଂ ୨୦୨୦ରେ ୩୪ ଲକ୍ଷ ପର୍ଯ୍ୟଟକ କାଶ୍ମୀର ଉପତ୍ୟକାର ସୌନ୍ଦର୍ଯ୍ୟ ଦେଖିଥିଲେ। ତଥ୍ୟରୁ ସ୍ପଷ୍ଟ ହେଉଛି ଯେ ସେଠାରେ ପର୍ଯ୍ୟଟକଙ୍କ ସଂଖ୍ୟା ନିରନ୍ତର ବୃଦ୍ଧି ପାଉଛି, ଯାହାର ଲାଭ ରାଜ୍ୟର ଅର୍ଥନୀତିଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ମିଳୁଛି।
ଜମ୍ମୁ-କାଶ୍ମୀରର ମୋଟ ଅର୍ଥନୀତିରେ ୮ ପ୍ରତିଶତ ଅଂଶ କେବଳ ପର୍ଯ୍ୟଟନରୁ ଆସୁଛି। ୨୦୨୪-୨୫ରେ ରାଜ୍ୟର ଜିଡିପି ୭ ପ୍ରତିଶତରୁ ଅଧିକ ଦ୍ରୁତ ଗତିରେ ବୃଦ୍ଧି ପାଉଛି, ଯେଉଁଥିରେ ପର୍ଯ୍ୟଟନ କ୍ଷେତ୍ର ସବୁଠାରୁ ଅଧିକ ବୃଦ୍ଧି ହାସଲ କରିଛି। କାଶ୍ମୀରର ପର୍ଯ୍ୟଟନ ଉଦ୍ୟୋଗ ଗତ ବର୍ଷ ୨୦୨୪ରେ ୧୨ ହଜାର କୋଟି ଟଙ୍କାର ଥିଲା, ଯାହା ୨୦୩୦ ସୁଦ୍ଧା ୨୫ ରୁ ୩୦ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ପହଞ୍ଚିବ ବୋଲି ଅନୁମାନ କରାଯାଉଛି। ଗତ ବର୍ଷ କେବଳ ଗୁଲମାର୍ଗରୁ ହିଁ ୧୦୩ କୋଟି ଟଙ୍କାରୁ ଅଧିକ ରାଜସ୍ୱ ମିଳିଥିଲା। ହେଲେ ବର୍ତ୍ତମାନ ପହଲଗାମ ଘଟଣା ପରେ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ଆଗାମୀ ୫ ମାସ ଯାଏଁ ସମସ୍ତ ବୁକିଂ ବାତିଲ କରୁଛନ୍ତି ପର୍ଯ୍ୟଟକ, ଯାହ କାଶ୍ମୀରର ଆର୍ଥିକ ମେରୁଦଣ୍ଡ ଉପରେ ପ୍ରଭାବ ପକାଇବ। ଏଠାରେ ହୋଟେଲ ମାଲିକ, ଟ୍ରାଭେଲ ଗାଇଡ, ଘୋଡା ଚାଳକ ଓ ଅନ୍ୟାନ୍ୟ କ୍ଷୁଦ୍ର ବ୍ୟବସାୟୀମାନେ ପର୍ୟ୍ୟଟନରୁ ରୋଜଗାର କରନ୍ତି। ସେମାନଙ୍କ ରୋଜଗାର ଛଡାଇ ନେଇଛି ଏହି ଆକ୍ରମଣ।