ନୂଆଦିଲ୍ଲୀ: ପହଲଗାମ ଆତଙ୍କୀଙ୍କ ବର୍ବର କାଣ୍ଡକୁ ନେଇ ଆକ୍ସନ୍ ମୋଡ୍ ରେ କେନ୍ଦ୍ର ସରକାର । ଘନଘନ ବୈଠକ ବସିବାରେ ଲାଗିଛି । ଆଜି(ବୁଧବାର) ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ମୋଦି ଅଧ୍ୟକ୍ଷତାରେ ଚାଲିଛି ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍ ବୈଠକ । ପ୍ରଧାମନମନ୍ତ୍ରୀଙ୍କ ବାସଭବନରେ ଏହି ବୈଠକ ବସିଛି। ବୈଠକରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇ ଚାଲିଛି ମନ୍ତ୍ରଣା । ପ୍ରାୟ ଏକ ଘଣ୍ଟା ଧରି ଚାଲିଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ପ୍ରତିରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ବି ଉପସ୍ଥିତ ଅଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ମଧ୍ୟ ଏହି ବୈଠକରେ ସାମିଲ ହୋଇଛନ୍ତି।
ଗତକାଲି ଘଟଣା ବାବଦରେ ସୂଚନା ପାଇବା କ୍ଷଣି କାଶ୍ମୀର ଅଭିମୁଖେ ବାହାରି ଆସିଥିଲେ ଅମିତ ଶାହ । ଆଜି ହସ୍ପିଟାଲ ଯାଇ ୧୨ ଜଣ ଆହତଙ୍କୁ ଭେଟିଛନ୍ତି । ଏହାରି ମଧ୍ୟରେ ପ୍ରଥମେ ଆତଙ୍କବାଦୀଙ୍କ ସ୍କେଚ୍ ଜାରି ହୋଇଥିବା ବେଳେ ଏବେ ସେମାନଙ୍କ ଫଟୋ ମଧ୍ୟ ଜାରି କରିଛି ସେନା ।
ଆକ୍ରମଣ ପଛରେ ପାକିସ୍ତାନୀ ଆତଙ୍କୀଙ୍କ ହାତ ଥିବା ସୂଚନା ରହିଛି । ୬ ଆତଙ୍କୀଙ୍କ ମଧ୍ୟରେ ୪ ପାକିସ୍ତାନୀ ଓ ୨ ସ୍ଥାନୀୟ ଆତଙ୍କୀଙ୍କ ହାତ ଥିବା ସୂଚନା ମିଳିଛି । ତେବେ ଏହି ଆତଙ୍କୀଙ୍କ ମଧ୍ୟରୁ ୪ ଜଣଙ୍କ ଫଟୋ ସାମ୍ନାକୁ ଆସିଛି । ଆତଙ୍କବାଦୀଙ୍କୁ ଡ୍ରୋନ୍ ଓ ହେଲିକପ୍ଟର ସାହାଯ୍ୟରେ ଖୋଜିବାକୁ ଉଦ୍ୟମ ଜାରି ରଖିଛି ସେନାବାହିନୀ ।
NIA ପହଲଗାମ ନରସଂହାର ତଦନ୍ତ ଭାର ହାତକୁ ନେଇଛି । ଗତକାଲି ପହଲଗାମ ଆତଙ୍କବାଦୀଙ୍କ ଆକ୍ରମଣରେ ୨୬ ନୀରିହ ଜୀବନ ଚାଲି ଯାଇଥିଲା। ସମସ୍ତ ମୃତକ ପର୍ଯ୍ୟଟକ ବୋଲି ଜଣା ପଡ଼ିଛି । ମୃତକଙ୍କ ମଧ୍ୟରେ ଦୁଇଜଣ ବିଦେଶୀ ନାଗରିକ ସାମିଲ ରହିଛନ୍ତି । ଜଣେ ଇସ୍ରାଏଲ ବାସିନ୍ଦା ହୋଇଥିବା ବେଳେ ଅନ୍ୟଜଣେ ଇଟାଲି ବାସିନ୍ଦା ବୋଲି ଜଣା ପଡ଼ିଛି । ଏହାଛଡ଼ା ଏହି ଆତଙ୍କୀ ହମଲାରେ ଦୁଇଜଣ ସ୍ଥାନୀୟ ଲୋକଙ୍କ ବି ପ୍ରାଣହାନୀ ଘଟିଛି । ଏମାନେ ସମସ୍ତେ ପହଲଗାମର ଉପତ୍ୟାକା ଦେଖିବା ସହ ସ୍ମୃତି ସାଉଁଟିବାକୁ ଆସି ଶବ ହୋଇ ଫେରିଛନ୍ତି ।