ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ହମଲା ପରେ ଭାରତ ପାକିସ୍ତାନ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଭାରତ ଏହି ଆତଙ୍କୀ ସମର୍ଥକ ଦେଶକୁ ପାଞ୍ଚ ପ୍ରହାର ଦେଇ ମୁହଁତୋଡ ଜବାବ ଦେଇଛି । ସିନ୍ଧୁ ନଦୀ ଜଳ ଚୁକ୍ତିନାମା ବାତିଲ କରି ବଡ ଝଟକା ଦେଇଛି । ଭାରତର ଆକ୍ସନରେ ବିଚଳିତ ପାକିସ୍ତାନ ସରକାର ଗୁରୁବାର ସକାଳେ ରାଷ୍ଟ୍ରୀୟ ସୁରକ୍ଷା କମିଟିର ବୈଠକ ଡକାଇଛି । ପାକିସ୍ତାନର ପ୍ରଧାନମନ୍ତ୍ରୀ ମହମ୍ମଦ ଶେହବାଜ ସରିଫ ଏକ୍ସରେ ପୋଷ୍ଟ କରି ଏହାର ସୂଚନା ଦେଇଛନ୍ତି ।
ପାକିସ୍ତାନର ଉପ ପ୍ରଧାନମନ୍ତ୍ରୀ ଇଶାକ ଡାର ଏକ୍ସରେ ପୋଷ୍ଟ କରି କହିଛନ୍ତି, ଗୁରୁବାର ସକାଳେ ରାଷ୍ଟ୍ରୀୟ ସୁରକ୍ଷା କମିଟିର ବୈଠକ ଡକାଯାଇଛି । ଏହି ବୈଠକରେ ପାକିସ୍ତାନ ଭାରତ ଦ୍ୱାରା ଉଠା ଯାଇଥିବା କଡା ପଦକ୍ଷେପ ଉପରେ କଣ ଜବାବ ଦେବେ ତା ଉପରେ ଆଲୋଚନା କରିବ । ଏହା ପରେ ଜଣା ପଡିବ ପାକିସ୍ତାନ କଣ ଜବାବ ଦେଉଛି ।
ଏହି ମାମଲାରେ ପ୍ରଥମ ପ୍ରତିକ୍ରିୟା ଦେଇ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ କହିଛନ୍ତି, ଏହି ବୈଠକରେ ଭାରତୀୟ ପଦକ୍ଷେପର ଉଚିତ୍ ଜବାବ ଦେବା ପାଇଁ ନିଷ୍ପତ୍ତି ନିଆଯିବ । ଏହି ବୈଠକରେ ସବୁ ଦଳର ନେତା ପ୍ରମୁଖ ଓ ପ୍ରମୁଖ କ୍ୟାବିନେଟ୍ ମନ୍ତ୍ରୀ ଯୋଗ ଦେବେ ।
ବୁଧବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ସୁରକ୍ଷା କମିଟି(ସିସିଏସ) ଜରୁରୀକାଳୀନ ବୈଠକ ବସିଥିଲା । ଏଥିରେ ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ନୃଶଂସ ଆତଙ୍କୀ ହମଲାର ବିସ୍ତୃତ ଆଲୋଚନା ହୋଇଥିଲା । ହମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଭାରତ ସରକାର ପାକିସ୍ତାନ ଉପରେ ୫ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।
କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଭାରତ ତତ୍କାଳ ପ୍ରଭାବରୁ ସିନ୍ଧୁ ନଦୀ ଜଳ ଚୁକ୍ତିନାମାକୁ ବାତିଲ କରିଛି । ଏହି ଚୁକ୍ତି ତେବେ ପୁଣି ଥରେ କାର୍ଯ୍ୟକ୍ଷମ ହେବ ଯେବେ ପାକିସ୍ତାନ ସୀମାରେ ଆତଙ୍କବାଦର ସମର୍ଥନ ଦେବା ବନ୍ଦ କରିବ । ଏହା ବାଦ୍ ଅଟାରୀ ୱାଘା ବର୍ଡରକୁ ତୁରନ୍ତ ବନ୍ଦ କରି ଦିଆଯାଇଛି । ଯେଉଁ ପାକିସ୍ତାନୀ ନାଗରିକ ବୈଧ୍ୟ ଭିସା ଦେଇ ଏହି ମାର୍ଗରେ ଭାରତ ଆସିଥିବେ, ସେମାନେ ମେ ୧ ପୂର୍ବରୁ ଫେରିବାକୁ ପଡିବ ।
ସାର୍କ ଭିସା ଯୋଜନା ଜରିଆରେ ଏବେ ଆଉ ପାକିସ୍ତାନୀ ନାଗରିକଙ୍କୁ ଭାରତ ଯାତ୍ରା ଅନୁମତି ମିଳିବ ନାହିଁ। ପୂର୍ବରୁ ପାକିସ୍ତାନୀ ନାଗରିକଙ୍କ ପାଇଁ ଜାରି ହୋଇଥିବା ସବୁ ପ୍ରକାରର ଭିସା ରଦ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ଏସଭିଇଏସ ଭିସା ଆଧାରରେ ଭାରତରେ ଥିବା କୌଣସି ବି ପାକିସ୍ତାନୀ ନାଗରିକଙ୍କୁ ୪୮ ଘଣ୍ଟା ଭିତରେ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି।