ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ପହଲଗାମରେ ମଙ୍ଗଳବାର ଅପରାହ୍ଣରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରଠାରୁ ସେନା କର୍ମଚାରୀମାନେ ସତର୍କ ଅଛନ୍ତି। ଆତଙ୍କବାଦୀଙ୍କୁ ଧରିବା ପାଇଁ ସେନା କର୍ମଚାରୀମାନେ ବଡ଼ଧରଣର ସର୍ଚ୍ଚ ଅପରେସନ୍ ଚଳାଇଛନ୍ତି। ପହଲଗାମ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ୫ ଜଣ ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଇଛି, ଯେଉଁଥିରେ ୩ ଜଣ ପାକିସ୍ତାନୀ ଏବଂ ୨ ଜଣ କଶ୍ମୀରୀ ନାଗରିକ ଅଛନ୍ତି। ସୁରକ୍ଷା ବାହିନୀ ବାନ୍ଦିପୋରାରେ ଲସ୍କର-ଏ-ତୈବାର ଚାରି ଜଣ ଓଭର ଗ୍ରାଉଣ୍ଡ କର୍ମୀଙ୍କୁ ଗିରଫ କରିଛି। ବର୍ତ୍ତମାନ ଜମ୍ମୁ-କାଶ୍ମୀରର ଅନେକ ଜିଲ୍ଲାରେ ଭାରତୀୟ ସେନା ପକ୍ଷରୁ ସର୍ଚ୍ଚ ଅପରେସନ୍ ଚାଲିଛି।
ଗୁରୁବାର ଦିନ, ଭାରତୀୟ ସେନା ପୁଞ୍ଚର ଲାସାନା ଜଙ୍ଗଲ ଅଞ୍ଚଳରେ ଜମ୍ମୁ ଓ କାଶ୍ମୀର ପୋଲିସର ସ୍ୱତନ୍ତ୍ର ଅପରେସନ୍ ଗ୍ରୁପ୍ ସହିତ ମିଳିତ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲା। ପୋଲିସ ଏବଂ ଏସ୍ଓଜି କର୍ମଚାରୀମାନେ ଜଙ୍ଗଲ ଏବଂ ପାହାଡ଼ରେ ଆତଙ୍କବାଦୀଙ୍କୁ ଖୋଜୁଛନ୍ତି।
ପହଲଗାମ ଆତଙ୍କବାଦୀ ଆକ୍ରମଣରେ ସାମିଲ ଥିବା ୫ ଆତଙ୍କବାଦୀଙ୍କ ବିଷୟରେ ସୂଚନା ପ୍ରଦାନକାରୀଙ୍କ ପାଇଁ ୨୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ମଧ୍ୟ କରାଯାଇଛି। ଆପଣଙ୍କୁ କହିରଖୁଛୁ ଯେ ସୁରକ୍ଷା ବାହିନୀ ଉତ୍ତର କାଶ୍ମୀରର ବାନ୍ଦିପୋରା ଜିଲ୍ଲାରେ ଲସ୍କର-ଏ-ତୈବାର ୪ ଜଣ ଓଭର ଗ୍ରାଉଣ୍ଡ କର୍ମୀଙ୍କୁ ଗିରଫ କରିଛନ୍ତି। ସେମାନଙ୍କଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଉଦ୍ଧାର କରାଯାଇଛି। ସେହି ସମୟରେ, ଜମ୍ମୁ କଶ୍ମୀରର ଉଧମପୁର ଜିଲ୍ଲା ଅନ୍ତର୍ଗତ ବସନ୍ତଗଡ଼ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିବା ଜାତୀୟ ଗଣମାଧ୍ୟମକୁ ସୂଚନା ମିଳିଛି। ସେହିପରି ପୁଞ୍ଛ ଓ ଅନନ୍ତନାଗରେ ମଧ୍ୟ ସୁରକ୍ଷାବାହିନୀର ଯବାନମାନେ ସର୍ଚ୍ଚ ଅପରେଶନ ଜାରି ରଖିଛନ୍ତି।
ଅଧିକ ପଢ଼ନ୍ତୁ: ପରିବାର ପାଇଁ ସୁରକ୍ଷା ଲୋଡ଼ିଲେ ଗୌତମ ଗମ୍ଭୀର