ନୂଆଦିଲ୍ଲୀ: ପହଲଗାମରେ ଆତଙ୍କୀ ଆକ୍ରମଣକୁ ନେଇ ପାକିସ୍ତାନ ବିରୁଦ୍ଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର। ଦିଲ୍ଲୀରେ ପାକିସ୍ତାନ ଦୂତାବାସ ନିକଟରେ ଲଗାଯାଇଥିବା ବ୍ୟାରିକେଡ଼୍ ଗୁଡିକୁ ପୋଲିସ ହଟାଇଦେଇଛି। ଘଟଣାକୁ ନିନ୍ଦା କରି ଭାରତୀୟମାନେ ଉତ୍ୟେକ୍ତ ହୋଇ ଦିଲ୍ଲୀରେ ଥିବା ପାକିସ୍ତାନ ଦୂତାବାସ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ତେବେ ଏହି ଘଟଣା ଦୁଇଦେଶ ମଧ୍ୟରେ ଖରାପ ଥିବା ସମ୍ପର୍କକୁ ଆହୁରି ତିକ୍ତ କରିଦେଇଥିବାବେଳେ ଭାରତୀୟମାନେ ଏକାଠି ହୋଇ ପାକ୍ ସରକାର ବିରୋଧରେ ଦୂତାବାସ ଆଗରେ ବିଭିନ୍ନ ନାରା ଦେଇଛନ୍ତି। ବିଶାଳ ପ୍ରତିବାଦ କରି ଦୂତାବାସ ଆଗରେ ହାତରେ କଳାପତକା ଧରି ପାକିସ୍ତାନ ମୁର୍ଦ୍ଦାବାଦ ସ୍ଲୋଗାନ୍ ଦେଇଛନ୍ତି ଉତ୍ୟେକ୍ତ ଲୋକେ।
ଏହି ଘଟଣାକୁ ନେଇ ବିଜେପି ନେତା ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି, ଆମେ ଜାତିସଙ୍ଘ ଏବଂ ଅର୍ନ୍ତଜାତୀୟ ସମୁଦାୟକୁ ଦାବି କରୁଛି ଯେ, ପାକିସ୍ତାନକୁ ଆତଙ୍କବାଦି ସମର୍ଥନ କରୁଥିବା ଦେଶ ଘୋଷଣା କରାଯାଉ। ସେହିପରି ବିଜେପି ବିଧାୟକ ସତୀଶ ଉପାଧ୍ୟାୟ କହିଛନ୍ତି, ‘ଏହି ଘଟଣା ସାରା ଲୋକଙ୍କ ମନରେ କଷ୍ଟ ଦେଇଛି। କାଶ୍ମୀର ଭାରତର ମୁଖ୍ୟଧାରାରେ ସାମିଲ ହେବା ପାକିସ୍ତାନକୁ ହଜମ ହେଲାଣି,ତେଣୁ ଏଭଳି ଆତଙ୍କୀ ହମଲା ରଚାଇଲା। ତେବେ ଏନେଇ ପ୍ରଧାନମନ୍ତ୍ରୀ ପାକିସ୍ତାନକୁ କଡ଼ା ଜବାବ ଦେବାକୁ କୂଟନୈତିକ ଷ୍ଟ୍ରାଇକ୍ କରିଛନ୍ତି। ଏହି ଘଟଣାର ଖୁବଶୀଘ୍ର ପ୍ରତିଶୋଧ ନେବ ଭାରତ’।
ଆକ୍ରମଣ ପଛରେ ପାକିସ୍ତାନର ହାତ ଥିବା ଜଣାପଡ଼ିଥିବା ପରେ ଭାରତ ସରକାର କୂଟନୈତିକ ସ୍ତରରେ ପାକ୍ ବିରୋଧରେ ଦୃଢ଼ ପଦକ୍ଷେପ ନେଇଛନ୍ତି। ନୂଆଦିଲ୍ଲୀରେ ଥିବା ପାକ୍ ଦୂତାବାସର ଅଧିକାରୀ ଏବଂ କର୍ମଚାରୀ ସଂଖ୍ୟା ୫୫ରୁ ୩୦କୁ ହ୍ରାସ କରିବାକୁ ଭାରତ ନିଷ୍ପତ୍ତି ନେଇଥିବାବେଳେ ଇସଲାମାବାଦରେ ଥିବା ଭାରତ ଦୂତାବାସରୁ ମଧ୍ୟ ଅନୁରୂପ କର୍ମଚାରୀ ଓ ଅଧିକାରୀଙ୍କୁ ଅପସାରଣ କରିବାକୁ ଭାରତ ପଦକ୍ଷେପ ନେବ ବୋଲି କହିଛି। ପାକିସ୍ତାନୀ ନାଗରିକଙ୍କୁ ଭାରତ ପ୍ରବେଶ ଅନୁମତି ରଦ୍ଦ କରାଯାଇଛି। ୧୯୬୦ ସିନ୍ଧୁ ନଦୀ ଜଳ ଚୁକ୍ତିକୁ ରଦ୍ଦ କରାଯାଇଛି। ଏହା ସହିତ ଅଟ୍ଟାରି- ଓ୍ବାଘା ସୀମାକୁ ବନ୍ଦ କରିଦିଆଯାଇଛି। ଇସଲାମାବାଦସ୍ଥିତ ଭାରତୀୟ ଦୂତାବାସରେ ଅବସ୍ଥାପିତ ସ୍ଥଳସେନା, ନୌସେନା ଏବଂ ବାୟୁସେନା ଉପଦେଷ୍ଟାମାନଙ୍କୁ ଭାରତ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି।
ଅଧିକ ପଢନ୍ତୁ: ପହଲଗାମ ଆକ୍ରମଣ ବେଳେ ପାକିସ୍ତାନ ଦୂତାବାସକୁ କେକ୍ ଧରି ଯାଉଥିଲେ କର୍ମଚାରୀ; କେଉଁ କାରଣରୁ ନେଲେ କିଛି କହିଲେନି..