ନୂଆଦିଲ୍ଲୀ: ପହଲଗାମ୍ରେ ଆତଙ୍କୀ ହାମଲା ଘଟଣାକୁ ନେଇ ସାରା ଦେଶ ଯେତେବେଳେ ଦୁଃଖରେ କାନ୍ଦୁଥିଲା, ସେତେବେଳେ ପାକିସ୍ତାନୀ ଖୁସି ମନାଉଥିଲେ। କାରଣ ଦିଲ୍ଲୀରେ ଥିବା ପାକିସ୍ଥାନ ଦୂତାବାସର ଜଣେ କର୍ମଚାରୀ କେକ୍ ଧରି ଯାଉଥିବାର ଦେଖିବାକୁ ମିଳିଛି। ତେବେ ସେ କେକ୍ ଧରି ଯାଉଥିବା ବେଳେ କେଉଁ ଖୁସିରେ ଏହି କେକ୍ ନେଉଛନ୍ତି ବୋଲି ଗଣମାଧ୍ୟମର କର୍ମଚାରୀ ଯେତେ ପ୍ରଶ୍ନ ପଚାରିଥିଲେ ବି ସେ କୌଣସି ଉତ୍ତର ନ ଦେଇ ଚୁପ୍ ରହିଥିଲେ।
ତେବେ ପହଲଗାମ ଆକ୍ରମଣ ବେଳେ ଜଣେ କର୍ମଚାରୀ ପାକିସ୍ତାନ ଦୂତାବାସ ମଧ୍ୟକୁ କେକ୍ ଧରି ଯିବା ଘଟଣାକୁ ନେଇ ଅନେକ କଳ୍ପନାଜଳ୍ପନା କରାଯାଉଛି। ସତ୍ୟ ଯାହା ହେଇଥାଉ ନା କାହିଁକି, କର୍ମଚାରୀ ଜଣକ ଚୁପ୍ ରହିବା ଘଟଣା ସାଧାରଣରେ ଅନେକ ସନ୍ଦେହ ସୃଷ୍ଟି କରିଛି। କୁହାଯାଉଛି, ଭାରତରେ ଆତଙ୍କୀ ହାମଲା ପରେ ପାକିସ୍ତାନୀ ଖୁସି ହୋଇ କେକ୍ କାଟି ସେଲିବ୍ରେସନ କରିଛି।
ପହଲଗାମ ଆକ୍ରମଣ ଘଟଣାକୁ ନେଇ ଭାରତ ଏବେ ଆକ୍ସନ ମୋଡରେ ରହିଥିବା ବେଳେ ଏହାର ପ୍ରଭାବ ଭାରତ-ପାକିସ୍ତାନ ସର୍ମ୍ପକରେ ଦେଖିବାକୁ ମିଳିଛି। ମଙ୍ଗଳବାରର ଏହି ଘଟଣା ପରେ ବୁଧବାର କଠୋର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି କେନ୍ଦ୍ର ସରକାର। ଦିଲ୍ଲୀରେ ଥିବା ପାକିସ୍ତାନୀ ଦୂତାବାସରେ ଏବେ ସୁରକ୍ଷା ହ୍ରାସ କରିଦିଆଯାଇଛି। ପାକିସ୍ତାନ ଦୂତାବାସ ବାହାରେ ଏବେ ସୁରକ୍ଷାକର୍ମୀ ନଜର ଆସୁନାହାନ୍ତି।
ବୁଧବାର ଭାରତ ପାକିସ୍ତାନ ବିରୁଦ୍ଧରେ ପାଞ୍ଚଟି କଠିନ ନିଷ୍ପତ୍ତି ନେଇଛି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା ଅଟାରୀ ସୀମା ଯାଞ୍ଚ ପୋଷ୍ଟ ବନ୍ଦ ରହିବ। ଏହି କାରଣରୁ ଦୁଇ ଦେଶ ମଧ୍ୟରେ ସୀମିତ ଗତିବିଧି ମଧ୍ୟ ବନ୍ଦ ହେବାକୁ ଯାଉଛି। ଭାରତ ପାକିସ୍ତାନରେ ଥିବା ଏହାର ଦୂତାବାସ ବନ୍ଦ କରିବାକୁ ଯାଉଛି। ଏହା କୂଟନୈତିକ ସମ୍ପର୍କରେ ଏକ ବଡ଼ ପରିବର୍ତ୍ତନ ଆଣିପାରେ।
ଅଧିକ ପଢନ୍ତୁ: ପହଲଗାମ ଆତଙ୍କୀ ହମଲାରେ ଭାରତର ୫ ବଡ଼ ପ୍ରହାର, ସିନ୍ଧୁ ନଦୀ ଚୁକ୍ତି ବାତିଲ, ବର୍ଡର ବନ୍ଦ, ଭିସା ରଦ୍ଦ