ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କୀ ହମଲା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ପୁଣି ଥରେ ଚରମରେ ପହଞ୍ଚିଛି । ଭାରତ ସରକାର ଏହି ହମଲା ଜବାବରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛି । ଭାରତ ସିନ୍ଧୁ ନଦୀ ଜଳ ଚୁକ୍ତିନାମା ବାତିଲ କରିବା ସହ ଅଟାରୀ ଚେକ ପୋଷ୍ଟ ବନ୍ଦ କରିଛି । ପାକିସ୍ତାନୀ ନାଗରିକଙ୍କ ସବୁ ପ୍ରକାରର ଭିସା ରଦ୍ଦ କରାଯାଇଛି । ନୂଆଦିଲ୍ଲୀ ସ୍ଥିତ ପାକିସ୍ତାନର ସାମରିକ ପରାମର୍ଶଦାତାଙ୍କୁ ଅବା’ିତ ଘୋଷଣା କରାଯାଇଛି । ଭାରତର ଏହି ପଦକ୍ଷେପରେ ବିଚଳିତ ହୋଇ ଉଠିଛି ପାକିସ୍ତାନ । ଏହାର ଜବାବ ଦେବା ପାଇଁ ପାକିସ୍ତାନ ସିମଲା ଚୁକ୍ତି ରଦ୍ଦ କରିବା ନେଇ ଚର୍ଚ୍ଚା ଜୋର ଧରିଛି ।
ପାକିସ୍ତାନୀ ମିଡିଆ ଅନୁସାରେ, ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଗୁରୁବାର ସକାଳେ ଜାତୀୟ ସୁରକ୍ଷା କମିଟି(ଏନଏସସି)ର ଜରୁରୀକାଳୀନ ବୈଠକ ଡକାଇଛନ୍ତି । ଏଥିରେ ସିମଲା ରାଜିନାମାରୁ ହଟିବା ନେଇ ବିଚାର କରୁଛି ପାକିସ୍ତାନ । ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇଶାକ ଡାର ଏକ୍ସରେ କହିଛନ୍ତି ଯେ, ଭାରତ ପଦକ୍ଷେପର ଜବାବ ଦେବା ପାଇଁ ଏହି ବୈଠକ ଡକାଯାଇଛି ।
କଣ ସିମଲା ଚୁକ୍ତିନାମା ?
ସିମଲା ଚୁକ୍ତିନାମା ହିମାଚଳ ପ୍ରଦେଶର ରାଜଧାନୀ ରାଜଧାନୀ ସିମଲାରେ ୧୯୭୨ ମସିହା ଜୁନ ୨୮ରୁ ଜୁଲାଇ ୨ ପର୍ଯ୍ୟନ୍ତ ଚାଲିଥିବା ଅନେକ ପର୍ଯ୍ୟାୟ ଆଲୋଚନା ପରିଣାମ ଥିଲା । ଏହି ଚୁକ୍ତିନାମାରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଓ ପାକିସ୍ତାନର ତତ୍କାଳୀନ ରାଷ୍ଟ୍ରପତି ଜୁଲିଫକାର ଅଲୀ ଭୁଟ୍ଟୋ ହସ୍ତକ୍ଷା କରିଥିଲେ । ଏହି ରାଜିନାମା ୧୯୭୧ ଯୁଦ୍ଧ ପରେ ଉତ୍ତେଜନା କମ କରିବା ଓ ଦୁଇ ଦେଶ ମଧ୍ୟରେ ଶାନ୍ତିପୂର୍ଣ୍ଣ ସହ ଅସ୍ଥିତ୍ୱକୁ ପ୍ରୋତ୍ସାହନ ଦେବା ପାଇଁ କରାଯାଇଥିଲା । ସିମଲା ରାଜିନାମାର ମୁଖ୍ୟ ଉଦ୍ଦେଶ୍ୟ ଯୁଦ୍ଧ ପରେ ଉତ୍ପନ ପ୍ରସଙ୍ଗ, ଯେପରି ଯୁଦ୍ଧବନ୍ଦୀଙ୍କୁ ଫେରାଇବା, କବଜା କ୍ଷେତ୍ରର ଆଦାନ ପ୍ରଦାନ ଓ କାଶ୍ମୀର ବିବାଦକୁ ସମ୍ବୋଧିତ କରିବା ।