ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ହମଲାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଡା ଚେତାବନୀ । ଆତଙ୍କବାଦୀଙ୍କୁ କଳ୍ପନାଠୁ ମିଳିବ କଡା ସଜା । ପଞ୍ଚାୟତିରାଜ ଦିବସ ଅବସରରେ ବିହାରର ମଧୁବନୀ ଜିଲ୍ଲାରେ ଏକ ସରକାରୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଏହା କହିଛନ୍ତି ପିଏମ ମୋଦୀ । କାର୍ଯ୍ୟକ୍ରମରେ ନିଜର ଭାଷଣ ଦେବା ପୂର୍ବରୁ ପ୍ରଧାନମନ୍ତ୍ରୀ ପ୍ରଥମେ ପହଲଗାମ ଆତଙ୍କୀ ହମଲାରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏଥିସହ ସଭାରେ ଉପସ୍ଥିତ ସମସ୍ତେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରିଥିଲେ ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଏପ୍ରିଲ ୨୨ ପହଲଗାମରେ ଆତଙ୍କବାଦୀମାନେ ନୀରିହ ଦେଶବାସୀଙ୍କୁ ଯେଉଁଭଳି ନୃଶଂସ ଭାବେ ହତ୍ୟା କରିଛନ୍ତି, ସେଥିରେ ପୂରା ଦେଶ ବ୍ୟତୀତ । ସମସ୍ତ ପୀଡିତ ପରିବାରଙ୍କ ଏହି ଦୁଃଖ ଘଡିରେ ପୂରା ଦେଶ ସେମାନଙ୍କ ସହ ରହିଛି । ଆହତଙ୍କ ଚିକିତ୍ସା ଏବେ ବି ଜାରି ରହିଛି । ଆତଙ୍କବାଦୀ ଆକ୍ରମଣରେ କିଏ ନିଜର ପୁଅ ହରାଇଲା, କିଏ ନିଜର ଭାଇ ହରାଇଲା, କିଏ ନିଜର ଜୀବନସାଥୀ ହରାଇଲା । ଦେଶର ବିଭିନ୍ନ ରାଜ୍ୟର ଲୋକେ ଏହି ଆତଙ୍କୀ ହମଲାରେ ପ୍ରାଣ ହରାଇଛନ୍ତି । ଏହି ହମଲା ନିରସ୍ତ୍ର ପର୍ଯ୍ୟଟକଙ୍କ ଉପରେ ହୋଇନାହିଁ ବରଂ ଭାରତର ଆତ୍ମା ଉପରେ ହୋଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ମୁଁ ବହୁତ ସ୍ପଷ୍ଟର ସହ କହିବାକୁ ଚାହୁଁଛି ଯେ, ଯେଉଁମାନେ ଏହି ହମଲା କରିଛନ୍ତି, ସେହି ଆତଙ୍କବାଦୀ ଓ ଏହାର ଷଡଯନ୍ତ୍ର ରଚିଥିବା ଲୋକଙ୍କୁ କଳ୍ପନାଠୁ ବି ବଡ ସଜା ମିଳିବ । ଏବେ ଆତଙ୍କବାଦୀଙ୍କୁ ମାଟିରେ ମିଶାଇବାର ସମୟ ଆସି ଯାଇଛି । ଆମେ ଏମିତି ସଜା ଦେବୁ ଯେ, ଏହି ଲୋକେ କେବେ ଭାବି ନ ଥିବେ । ଏହା ପୂର୍ବରୁ ବୁଧବାର ସୁରକ୍ଷା ସଂପର୍କିତ କ୍ୟାବିନେଟ୍ ବୈଠକରେ ଭାରତ ପାକିସ୍ତାନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ଆତଙ୍କୀ ପୃଷ୍ଠପୋଷକ ଦେଶକୁ ପାନେ ଦେବା ପାଇଁ ଭାରତ ସିନ୍ଧୁ ନଦୀ ଜଳ ଚୁକ୍ତିନାମା ବାତିଲ କରିବା ସମେତ ୫ ବଡ ଆକ୍ସନ ନେଇଛି ।