ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପହଲଗାମରେ ଘଟିଥିବା ନୃଶଂସ ଆତଙ୍କୀ ହମଲା ପରେ ଭାରତ ପାକିସ୍ତାନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାରେ ଲାଗିଛି । ଏହି ଆତଙ୍କୀ ପୃଷ୍ଠପୋଷକ ଦେଶକୁ ପେନା ଦେବା ପାଇଁ ଭାରତ ସିନ୍ଧୁ ନଦୀ ଜଳ ଚୁକ୍ତିନାମା ବାତିଲ କରିବା ସମେତ ୫ ବଡ ଆକ୍ସନ ନେଇଛି । ଏହା ମଧ୍ୟରେ ଭାରତ ଆଉ ଏକ ଦୃଢ ପଦକ୍ଷେପ ଗ୍ରହଣ କରିଛି ।
ପାକିସ୍ତାନ ସହ ବଢୁଥିବା ଉତ୍ତେଜନା ମଧ୍ୟରେ ଭାରତ ପାକିସ୍ତାନୀ ସରକାରର ଆନୁଷ୍ଠାନିକ ଏକ୍ସ ଆକାଉଣ୍ଟକୁ ଭାରତରେ ବ୍ୟାନ କରିଛି । ଏବେ ପାକିସ୍ତାନର ଆକାଉଣ୍ଟ ଭାରତରେ ଖୋଲିବ ନାହିଁ । ଏହି କାର୍ଯ୍ୟାନୁଷ୍ଠାନକୁ ଡିଜିଟାଲ ଷ୍ଟ୍ରାଇକ ବୋଲି କୁହାଯାଉଛି । ଏହା ପୂର୍ବରୁ ଗତକାଲି ଭାରତ ସିସିଏସ ବୈଠକରେ ପାଞ୍ଚ ବଡ ନିର୍ଣ୍ଣୟ ନେଇଥିଲା । ସିନ୍ଧୁ ଜଳ ଚୁକ୍ତିନାମାଠୁ ନେଇ ଅଟାରୀ ଚେକ ପୋଷ୍ଟ ପର୍ଯ୍ୟନ୍ତ ଭାରତ କଠୋର ପଦକ୍ଷେପ ନେଇଛି । ଅନ୍ୟପଟେ ପାକିସ୍ତାନରେ ଭୟର ମାହୋଲ ରହିଛି । ଏହି ପଡୋଶୀ ଦେଶକୁ ସର୍ଜିକାଲ ଷ୍ଟ୍ରାଇକର ଭୟ ଘାରିବାରେ ଲାଗିଛି । କିନ୍ତୁ ଭାରତ ବର୍ତ୍ତମାନ କୂଟନୀତି ଜରିଆରେ ପାକିସ୍ତାନକୁ ପାନେ ଚଖାଇବା ପାଇଁ ଉପରୋକ୍ତ ପଦକ୍ଷେପ ନେଇଛି । ବିଶେଷ କରି ଭାରତର ସିନ୍ଧୁ ନଦୀ ଜଳ ଚୁକ୍ତିନାମା ବାତିଲ ନିଷ୍ପତ୍ତିରେ ପାକିସ୍ତାନରେ ଚହଳ ପଡି ଯାଇଛି ।
ଏଥିସହ ସାର୍କ ଭିସା ଯୋଜନା ଜରିଆରେ ଏବେ ଆଉ ପାକିସ୍ତାନୀ ନାଗରିକଙ୍କୁ ଭାରତ ଯାତ୍ରା ଅନୁମତି ମିଳିବ ନାହିଁ। ପୂର୍ବରୁ ପାକିସ୍ତାନୀ ନାଗରିକଙ୍କ ପାଇଁ ଜାରି ହୋଇଥିବା ସବୁ ପ୍ରକାରର ଭିସା ରଦ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ଏସଭିଇଏସ ଭିସା ଆଧାରରେ ଭାରତରେ ଥିବା କୌଣସି ବି ପାକିସ୍ତାନୀ ନାଗରିକଙ୍କୁ ୪୮ ଘଣ୍ଟା ଭିତରେ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି।
ନୂଆଦିଲ୍ଲୀରେ ପାକିସ୍ତାନୀ ଦୂତାବାସର ସାମରିକ ପରାମର୍ଶଦାତା ସପ୍ତାହେ ଭିତରେ ଭାରତ ଛାଡ଼ିବେ। ପାକିସ୍ତାନରେ ଥିବା ଭାରତୀୟ ଦୂତାବାସ ମଧ୍ୟ ତୁରନ୍ତ ପାକିସ୍ତାନ ଛାଡ଼ିବେ। ଏହା ବ୍ୟତୀତ ଇସଲାମାବାଦ ସ୍ଥିତ ସାମରିକ ପରାମର୍ଶଦାତାଙ୍କୁ ଭାରତ ଫେରି ଆସିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।