ଭଦ୍ରକ: ଭଦ୍ରକ ଜିଲ୍ଲା ହସ୍ପିଟାଲରେ ଏକ ଅଭାବନୀୟ ଘଟଣା ଘଟିଛି । ହସ୍ପିଟାଲ୍ ଲିଫ୍ଟରେ ଚାପି ହୋଇ ଜଣେ ବୃଦ୍ଧାଙ୍କ ଅକାଳ ମୃତ୍ୟୁ ହୋଇଛି । ମୃତ ବୃଦ୍ଧା ମିନତୀ ପରିଡା । ଏନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି ।
ସୂଚନା ଅନୁସାରେ, ମିନତୀ ପରିଡା ଶ୍ୱାସ ଓ ଥାଇରଏଡ଼ ରୋଗ ଆକ୍ରାନ୍ତ ହୋଇ ଥିବାରୁ ପରିବାର ଲୋକେ ତାଙ୍କୁ ଭଦ୍ରକ ଜିଲ୍ଲା ହସ୍ପିଟାଲକୁ ଆଣିଥିଲେ । ବୃଦ୍ଧାଙ୍କୁ ପରିବାର ଲୋକେ ଡାକ୍ତରଙ୍କ ପରାମର୍ଶ କ୍ରମେ ଫିମେଲ ମେଡ଼ିସିନ ୱାର୍ଡକୁ ଲିଫ୍ଟରେ ଆଣୁଥିଲେ । ଏହି ସମୟରେ ଏକ ବଡ଼ ଅଘଟଣ ଘଟିଯାଇଛି । ହଠାତ ଲିଫ୍ଟ ଡୋରରେ ବୃଦ୍ଧା ଜଣକ ଚାପି ହୋଇଯାଇଥିଲେ । ବୃଦ୍ଧାଙ୍କୁ ନେଇ ଯାଉଥିବା ଦୁଇ ଜଣ ପିଲା ସୌଭାଗ୍ୟବଶତଃ ଅଳ୍ପକେ ବର୍ତ୍ତିଯାଇଛନ୍ତି । କିନ୍ତୁ ଅକାଳରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ଏହି ଘଟଣା ପରେ ହସ୍ପିଟାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି । ଏନେଇ ପୋଲିସ ଖବର ପାଇ, ଘଟଣା ସମ୍ପର୍କରେ ବୁଝାସୁଝା କରିବା ସହିତ ଘଟଣାର ତଦନ୍ତ ଜାରି କରିଛି ।