ବାଲେଶ୍ୱର: ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲ୍ଲା ପହଲଗାମରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଭିତରେ ବୁଲୁଥିବା ବେଳେ ଆତଙ୍କବାଦୀଙ୍କ ଗୁଳିମାଡ଼ରେ ମୃତ ବାଲେଶ୍ବର ସିପେଟ୍ର ଆକାଉଣ୍ଟାଣ୍ଟ ପ୍ରଶାନ୍ତ ଶତପଥୀ ପଞ୍ଚଭୂତରେ ବିଲୀନ ହୋଇଛନ୍ତି। ବାଲେଶ୍ୱର ସଦର ବ୍ଲକ ଈସାଣୀ ଗାଁ ମଶାଣିରେ ଗୁରୁବାର ପୂର୍ବାହ୍ଣରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପ୍ରଶାନ୍ତଙ୍କ ମରଶରୀରରେ ତାଙ୍କ କୁନିପୁଅ ତନୁଜ ମୁଖାଗ୍ନି ଦେଇଛି। ଶେଷକୃତ୍ୟ ସମୟରେ ଗାଁ ମଶାଣିରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ପ୍ରଶାନ୍ତଙ୍କ ପାର୍ଥିବଶରୀରକୁ ଗାଁ ମଶାଣିକୁ ଅଭିମୁଖେ ନେବା ସମୟରେ ପୂରା ପରିବେଶ କାନ୍ଦବୋବାଳିରେ ଫାଟିପଡ଼ୁଥିଲା । ହଜାର ହଜାର ଲୋକେ ତାଙ୍କୁ ଶେଷ ଦର୍ଶନ କରିବାକୁ ଆସି ପହଞ୍ଚିଥିଲେ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଅନ୍ତିିମ ଯାତ୍ରାରେ ସାମିଲ ହୋଇଥିଲେ। ସେ ପ୍ରଶାନ୍ତଙ୍କ ପରିବାର ପାଇଁ ସହାୟତା ଘୋଷଣା କରିଛନ୍ତି। ପ୍ରଶାନ୍ତଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ସହାୟତା ରାଶି ପାଇବେ ବୋଲି କହିଛନ୍ତି। ଏଥିସହ ପ୍ରଶାନ୍ତଙ୍କ ସ୍ତ୍ରୀକୁ ଚାକିରି ସମେତ ପୁଅର ସମସ୍ତ ପାଠପଢ଼ା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ପହଲଗାମରେ ମଙ୍ଗଳବାର ଦିନ ଅପରାହ୍ଣରେ ଆତଙ୍କବାଦୀଙ୍କ ଆକ୍ରମଣରେ ପ୍ରଶାନ୍ତ ଶତପଥୀ ପ୍ରାଣ ହରାଇଥିଲେ। ସ୍ବାମୀଙ୍କ ଏଭଳି ମୃତ୍ୟୁରେ ପତ୍ନୀ ପ୍ରିୟଦର୍ଶିନୀ ଧର୍ଯ୍ୟ ହରାଇଛନ୍ତି। ଘରେ ଅନ୍ୟମାନଙ୍କର ସ୍ଥିତି ମଧ୍ୟ ଅସମ୍ଭାଳ। ହସ ଖୁସିରେ ବୁଲିବାକୁ ଯାଇଥିବା ଯାତ୍ରା ଯେ ଶେଷ ଯାତ୍ରା ହୋଇଯିବ ସେ କଥା କିଏ ଜାଣିଥିଲା। ପରିବାର ଲୋକ ପ୍ରଶାନ୍ତଙ୍କ ମୃତ୍ୟୁକୁ ଗ୍ରହଣ କରି ପାରୁ ନାହାଁନ୍ତି ।
ପ୍ରଶାନ୍ତଙ୍କ ମରଶରୀର ଗତକାଲି ରାତିରେ ଜାମ୍ମୁ-କାଶ୍ମୀରରୁ ଆସି ଭୁବନେଶ୍ୱରରେ ପହଞ୍ଚିଥିଲା। ଭୁବନେଶ୍ବର ବିମାନବନ୍ଦରରେ ଏହା ରାତି ପ୍ରାୟ ୧୨ଟା ୩୦ମିନିଟରେ ପହଞ୍ଚିଥିଲା। ସେହି ସମୟରେ ବିମାନବନ୍ଦରରେ ଅପେକ୍ଷା କରି ରହିଥିଲେ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ରାଜନେତା ଏବଂ ବରିଷ୍ଠ ପୋଲିସ ଅଧିକାରୀ। ପ୍ରଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ପିସିସି ସଭାପତି ଭକ୍ତ ଦାସଙ୍କ ସହ ପୋଲିସ ଡିଜି ଓ୍ୱାଇ.ବି ଖୁରାନିଆ ଓ ବରିଷ୍ଠ ପୋଲିସ ଅଧିକାରୀ। ଏହାପରେ ପ୍ରଶାନ୍ତଙ୍କ ମୃତଦେହ ପୈତୃକ ଗ୍ରାମ ଅଭିମୁଖେ ବାହାରିଥିଲା। ଆଜି ଭୋରରେ ବାଲେଶ୍ୱର ଜିଲ୍ଲା ଈସାଣୀ ଗାଁରେ ପ୍ରଶାନ୍ତଙ୍କ ପାର୍ଥିବ ଶରୀର ପହଞ୍ଚିଥିଲା। ମୃତଦେହ ଗାଁରେ ପହଞ୍ଚିବା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା।
ଅଧିକ ପଢନ୍ତୁ: ପହଲଗାମ ଆତଙ୍କବାଦୀ ଆକ୍ରମଣ: ଜନ୍ମମାଟିରେ ପ୍ରଶାନ୍ତଙ୍କ ମରଶରୀର; ଆଜି ହେବ ଶେଷକୃତ୍ୟ