ଢେଙ୍କାନାଳ: ମୋଷ୍ଟ ୱାଣ୍ଟେଡ ହୁଣ୍ଡୁକୁ ଏନକାଉଣ୍ଟର । ପୋଲିସ ଗୁଳିରେ ଆହତ ହୋଇଛି ଦୁର୍ଦ୍ଦାନ୍ତ ଅପରାଧି ଦେବାଶିଷ ବେହେରା ଓରଫ ହୁଣ୍ଡୁ। ଏନକାଉଣ୍ଟର କରି ହୁଣ୍ଡୁକୁ କାବୁ କରିଛି ଢେଙ୍କାନାଳ ପୋଲିସ। ଆଜି ଭୋର୍ ସମୟରେ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ମଙ୍ଗଳପୁର ଗାଁ ନିକଟରେ ହୋଇଛି ଏନକାଉଣ୍ଟର। ଗୋଡରେ ଗୁଳି ବାଜିଥିବାରୁ ହୁଣ୍ଡକୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାକୁ କଟକ ସ୍ଥାନାନ୍ତର କରାଯିବ ବୋଲି ସୂଚନା ଦେଇଛି ପୋଲିସ।
ସୂଚନା ଅନୁଯାୟୀ,ଗତ ରାତିରେ ଏକ ସୁଚିନ୍ତିତ ମର୍ଡର ଯୋଜନା କରିଥିଲା ହୁଣ୍ଡୁ। ଖବର ପାଇ ପୋଲିସ ହୁଣ୍ଡୁକୁ ଗୋଡାଇଥିଲା। ପୋଲିସ ଉପରକୁ ଗୁଳି ଉଦ୍ୟମ ବେଳେ ପୋଲିସର ପାଲଟା ଗୁଳିରେ ଆହତ ହୋଇଛି ଅପରାଧି । କାମାକ୍ଷାନଗରରେ ଥିବା କିଙ୍ଗ୍ ଅଫ୍ ଫରେଷ୍ଟ ଗ୍ୟାଙ୍ଗର ଇଏ ହେଉଛି ଏକ ମୁଖ୍ୟ ସଦସ୍ୟ। ଏହା ପୂର୍ବରୁ ତା ନାଁରେ ହତ୍ୟା, ଡକାୟତି, ଲୁଟ୍ ଭଳି ୧୮ ଗୋଟି ମାମଲା ରହିଥିବା ଜଣାପଡିଛି। କୁଖ୍ୟାତ ଅପରାଧି ରାକେଶ ନାଥ ଗ୍ୟାଙ୍ଗର ଇଏ ହେଉଛି ମୁଖ୍ୟ ସହଯୋଗୀ।