ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ନୂଆ ଅଧ୍ୟକ୍ଷ କିଏ ହେବ ତାକୁ ନେଇ କଳ୍ପନା ଜଳ୍ପନା ଜାରି ରହିଛି । ତେବେ ନାଁ କୌଣସି ବି ସମୟରେ ଘୋଷଣା ହୋଇପାର । ଏପ୍ରିଲ ସୁଦ୍ଧା ବିଜେପି ପକ୍ଷରୁ ଜେପି ନଡ୍ଡାଙ୍କ ଉତ୍ତରାଧିକାରୀର ଘୋଷଣା କରାଯାଇପାରେ । ଦଳୀୟ ସୂତ୍ର ଅନୁଯାୟୀ, କେନ୍ଦ୍ର ମନ୍ତ୍ରୀ ମନୋହର ଲାଲ ଖଟ୍ଟର, ଧର୍ମେନ୍ଦ୍ର ପ୍ରଧାନ ଓ ଭୂପେନ୍ଦ୍ର ଯାଦବଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି ଏହି ତିନି ଜଣଙ୍କ ମଧ୍ୟରୁ ଜଣେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇ ପାରନ୍ତି । ଅଧ୍ୟକ୍ଷ ପଦ ଉପରେ ନିଷ୍ପତ୍ତି ନିଆଯିବା ପୂର୍ବରୁ ଆରଏସଏସର ପରାମର୍ଶ ମଧ୍ୟ ନିଆଯିବ । ଏହା ପୂର୍ବରୁ ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ଆନ୍ଧ୍ର ପ୍ରଦେଶ ପରି ବଡ ରାଜ୍ୟରେ ସଭାପତି ଚୟନ କରାଯିବ । ଏହା ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରେ ନାଁ ଘୋଷଣା କରାଯିବ ।
ପାର୍ଟି ସୂତ୍ର ମୁତାବକ, ବିଜେପି ଏପ୍ରିଲ ୨୫ ସୁଦ୍ଧା ୟୁପି ସମେତ ଅନେକ ରାଜ୍ୟରେ ସଭାପତି ପଦ ଘୋଷଣା କରିପାରେ । ଏହା ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ପାଇଁ ନାମାଙ୍କନ ପତ୍ର ଦାଖଲ କରାଯିବ । କୌଣସି ଜଣେ ନେତାଙ୍କୁ ସର୍ବସମ୍ମତିକ୍ରମେ ସ୍ଥିର କରାଯିବ । ତେବେ ମନୋହର ଲାଲ ଖଟ୍ଟରଙ୍କୁ ନେଇ ସହମତି ପ୍ରକାଶ ପାଇବାର ଅଧିକ ସମ୍ଭାବନା ରହିଛି । ଏହାର କାରଣ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘନିଷ୍ଠ ଏବଂ ତାଙ୍କ ପ୍ରଥମ ପସନ୍ଦ ମଧ୍ୟ । ଦୀର୍ଘ ସମୟ ଧରି ଆରଏସଏସର ପ୍ରଚାରକ ଭାବେ କାମ କରିଥିବା ମନୋହରଙ୍କ ସଂଗଠନରେ ପ୍ରଗାଢ ଅଭିଜ୍ଞତା ରହିଛି । ଏହିପରି ଆରଏସଏସକୁ ତାଙ୍କ ନାଁ ଉପରେ କୌଣସି ଆପତ୍ତି ହେବ ନାହିଁ । ଆରଏସଏସର ଇଚ୍ଛା ତାଙ୍କ ବିଚାରଧାରାର ବ୍ୟକ୍ତି ବିଜେପିର ଅଧ୍ୟକ୍ଷ ହୁଅନ୍ତୁ ।
ଏହା ବ୍ୟତୀତ ଧର୍ମେନ୍ଦ୍ର ପ୍ରଧାନ ଓ ଭୂପେନ୍ଦ୍ର ଯାଦବଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି । ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ଚର୍ଚ୍ଚାରେ ରହିବାର କାରଣ ସେ ମଧ୍ୟ ଜଣେ ଭଲ ସଂଗଠକ । ତାଙ୍କୁ କେନ୍ଦ୍ରୀୟ ନେତୃବୃନ୍ଦ ଯେଉଁ ସବୁ ରାଜ୍ୟରେ ନିର୍ବାଚନୀ ପ୍ରଭାରୀ କରିଛନ୍ତି ସେଠାରେ ବିଜେପି ଦମଦାର ପ୍ରଦର୍ଶନ କରି ଆସିଛି । ଆଉ କ୍ୟାବିନେଟରେ ମଧ୍ୟ ଧର୍ମେନ୍ଦ୍ରଙ୍କ କାର୍ଯ୍ୟ ଦକ୍ଷତା ବେଶ ପ୍ରଭାବଶାଳୀ ରହିଛି । ମନ୍ତ୍ରୀ ଭାବେ କାର୍ଯ୍ୟ କିମ୍ବା ଦଳୀୟ କାର୍ଯ୍ୟ ଧର୍ମେନ୍ଦ୍ର ପ୍ରଧାନ କେବେ ବି କେନ୍ଦ୍ରୀୟ ନେତୃବୃନ୍ଦଙ୍କୁ ନିରାଶ କରି ନାହାନ୍ତି । ତାଙ୍କର ଟ୍ରାକ ରେକର୍ଡକୁ ଦେଖି ତାଙ୍କ ନାଁ ଉପରେ ମଧ୍ୟ ବିଜେପି ଅଧ୍ୟକ୍ଷ ଭାବେ ଚର୍ଚ୍ଚା ଚାଲିଛି ।
କିନ୍ତୁ ମନୋହର ଲାଲ ଖଟ୍ଟର ସବୁଠୁ ଆଗରେ ଅଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମନୋହର ଲାଲ ଖଟ୍ଟରଙ୍କ ମଧ୍ୟରେ ଦଶନ୍ଧିର ପୁରୁଣା ସଂପର୍କ ରହିଛି । ଏହା ବାଦ୍ ବିଜେପିରେ ସାଧାରଣ ସଂପାଦକ ଭାବେ ରାଜ୍ୟରେ ଅନେକ ନେତାଙ୍କୁ ଦାୟିତ୍ୱ ଦେଇପାରେ । ଏହି ପଦ ସେହି ନେତାଙ୍କୁ ଦିଆଯିବ ଯେଉଁମାନେ ପୂର୍ବରୁ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ପରି ପଦରେ ରହି ସାରିଛନ୍ତି । ଅନ୍ୟପଟେ ଏନଡିଏ ସରକାରରେ ସହଯୋଗୀ ଦଳ କ୍ୟାବିନେଟର ସଂପ୍ରସାରଣ କରାଯାଇ ଏଥିରେ ତାଙ୍କ ନେତାଙ୍କୁ ସାମିଲ କରାଯାଉ ବୋଲି ଦାବି କରିଛନ୍ତି ।