ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ଵାମୀ ତଥା ବ୍ୟବସାୟୀ ରବର୍ଟ ଭଦ୍ରାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଅଧିକାରୀ ମଙ୍ଗଳବାର ପ୍ରାୟ ୬ ଘଣ୍ଟା ପଚରା ଉଚୁରା କରିଛନ୍ତି। ଏଥିସହ ତାଙ୍କର ବୟାନ ରେକର୍ଡ କରାଯାଇଛି। ଏହି ସମୟରେ ଭଦ୍ରାଙ୍କ ଉପରେ ପ୍ରଶ୍ନ ବର୍ଷା କରିଛନ୍ତି ଅଧିକାରୀ। ଆସନ୍ତାକାଲି ପୁଣି ଥରେ ହାଜର ହେବାକୁ ଭ୍ରଦାଙ୍କୁ କୁହାଯାଇଛି। ହରିୟାଣାର ଶିକୋହପୁରରେ ଏକ ଜମି ଡିଲ୍ ସଂପର୍କିତ ମନି ଲଣ୍ଡ୍ରିଂ ମାମଲାରେ ଇଡି ତାଙ୍କୁ ଜେରା କରୁଛି।
ସୂଚନା ଅନୁଯାୟୀ, ବୁଧବାର ପୂର୍ବାହ୍ଣ ୧୧ଟାରେ ପୁଣି ଥରେ ଇଡି ଦପ୍ତରରେ ହାଜର ହେବେ ରବର୍ଟ ଭଦ୍ରା। ଆଜି ଇଡି ଅଫିସରୁ ବାହାରିବା ପରେ ଭଦ୍ରା କହିଛନ୍ତି, ରାଜନୈତିକ ପ୍ରତିଶୋଧ ଭାବନାରେ ଆମ ବିରୋଧରେ ଏମିତି କାର୍ୟ୍ୟାନୁଷ୍ଠାନ ନିଆଯାଇଛି। ଏହା ପୂର୍ବରୁ ମଧ୍ୟ ଇଡି ଘଣ୍ଟା ଘଣ୍ଟା ଧରି ପଚରା ଉଚୁରା କରି ସାରିଛି। ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କରି ସାରିଛି। ତଥାପି ପୁଣି ଥରେ ମାମଲାରେ ଆମକୁ ଟଣା ଯାଉଛି।
ଏହା ପୂର୍ବରୁ ଆଜି ୫୬ ବର୍ଷୀୟ ଭଦ୍ରା ମଧ୍ୟ ଦିଲ୍ଲୀର ସୁଜାନ ସିଂ ପାର୍କ ସ୍ଥିତ ନିଜ ବାସଭବନରୁ ଏପିଜେ କଲାମ ରୋଡ ସ୍ଥିତ ଇଡି ମୁଖ୍ୟାଳୟ ପର୍ୟ୍ୟନ୍ତ ପ୍ରାୟ ୨ କିଲୋମିଟର ଚାଲି ଚାଲି ପହଞ୍ଚିଥିଲେ। ସେ ନିଜ ଓକିଲଙ୍କ ସହ ସକାଳ ୧୧ ଟାରେ ଇଡି କାର୍ଯ୍ୟାଳୟରେ ହାଜର ହୋଇଥିଲେ।
ଇଡି ସମନକୁ ନେଇ ରବର୍ଟ ଭଦ୍ରା କହିଥିଲେ ଯେ, ଏହି ଲୋକେ ମୋତେ ସର୍ବଦ ଦବାଇବାକୁ ଉଦ୍ୟମ କରିଛନ୍ତି । ଯେବେ ବି ମୁଁ ଲୋକଙ୍କ ପାଇଁ ସ୍ୱର ଉଠାଇଛ. ଏହି ଲୋକେ ମୋତେ ରୋକିବାକୁ ଉଦ୍ୟମ କରିଛନ୍ତି । ମୋତେ କିଛି ଲୁଚାଇବାର ଆବଶ୍ୟକତା ନାହିଁ । ମୁଁ ସବୁ ପ୍ରଶ୍ନର ଉତ୍ତର ଦେଇଥାଏ ଏବଂ ଆଗକୁ ମଧ୍ୟ ଦେବି । ଯେଉଁ ଜମି ଜାଲିଆତି ମାମଲାରେ ମୋତେ ସମନ ଜାରି କରାଯାଇଛି, ସେହି କେସରେ ଇଡି ପୂରା ଛାନବିନ କରି ସାରିଛି । ମାତ୍ର କିଛି ପାଇଲା ନାହିଁ ଏବଂ ଆଗକୁ ମଧ୍ୟ କିଛି ମିଳିବ ନାହିଁ ।
ମାମଲା କଣ ?
ଇଡି ଅନୁଯାୟୀ, ରବର୍ଟ ଭଦ୍ରାଙ୍କ କମ୍ପାନି ୨୦୦୮ ଫେବୃଆରୀରେ ଓଙ୍କାରେଶ୍ୱର ପ୍ରପର୍ଟିଜ ନାମକ କମ୍ପାନିଠୁ ଗୁଡଗାଓଁର ଶିକୋହପୁର ଅଞ୍ଚଳରେ ୩.୫ ଏକରର ଜମିକୁ ୭.୫ କୋଟି ଟଙ୍କାରେ କିଣିଥିଲେ । କିଛି ସମୟ ପରେ ଭଦ୍ରାଙ୍କ କମ୍ପାନି ଏହି ଜମିକୁ ଡିଏଲଏଫ ନାମକ ବଡ ରିୟଲ ଇଷ୍ଟେଟ କମ୍ପାନିକୁ ୫୮ କୋଟି ଟଙ୍କାରେ ବିକ୍ରି କରିଛନ୍ତି । ଇଡିର ସନ୍ଦେହ ଏହି ଡିଲ୍ ମନି ଲଣ୍ଡ୍ରିଂ ଅର୍ଥାତ କଳା ଧନକୁ ଧଳା କରିବା ଉଦ୍ଦେଶ୍ୟରେ ଏମିତି କରାଯାଇଛି । ଏଥିପାଇଁ ଏଜେନ୍ସି ଏହି ଜମି ଡିଲ୍ ସଂପର୍କିତ ମାମଲାରେ କେତେ ଆର୍ଥିକ ନେଣଦେଣ ହୋଇଛି ତାହାର ତଦନ୍ତ ଚଳାଇଛି ।