ଭୁବନେଶ୍ୱର: ସାଧାରଣ ନିର୍ବାଚନ ପୂର୍ବରୁ ନିଜକୁ ବିଜେଡ଼ିର ସର୍ବେସର୍ବା ବୋଲାଉଥିବା ଭି କେ ପାଣ୍ଡିଆନଙ୍କୁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀଙ୍କ ସହିତ ତୁଳନାକୁ କଂଗ୍ରେସ କ୍ଷୁବ୍ଧ ହୋଇଛି । ଏଥିପାଇଁ ନବୀନ ପଟ୍ଟନାୟକ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ ।
ପାଣ୍ଡିଆନଙ୍କୁ ନେହେରୁଙ୍କ ସହ ତୁଳନା କରିବାକୁ ନେଇ ଏବେ କଂଗ୍ରେସ ମନରେ ଆକ୍ରୋଶ । ଦଳର ସୁପ୍ରିମୋ ନବୀନ ତୁରନ୍ତ କ୍ଷମା ମାଗନ୍ତୁ । ଏଥିପାଇଁ ନବୀନ ୭ ଦିନର ମହଲତ ଦେଇଛି କଂଗ୍ରେସ । ଯଦି ଏହି ସମୟ ମଧ୍ୟରେ କ୍ଷମା ନ ମାଗନ୍ତି ତେବେ ପରିସ୍ଥିତି କିଛି ଭଲ ହେବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଭକ୍ତ ଦାସ । ସେ ନାଁ ନେଇ ସଂତୃପ୍ତ ମିଶ୍ରଙ୍କ ଉପରେ ବର୍ଷିଛନ୍ତି । ବିଜେଡିର ଜଣେ ଗୋଲାମ, ଯିଏକି ଗୋଲାମ ହୋଇ ଟିକେଟ ପାଇଥିଲେ। ହେଲେ ନିର୍ବାଚନରେ ହାରିଲେ। ସେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କୁ ଭିକେ ପାଣ୍ଡିଆନଙ୍କ ସହ ତୁଳନା କରିଛନ୍ତି । ନେହେରୁଙ୍କୁ ନେଇ ଏ ଭଳି କହିବାକୁ ସେ କିଏ ବୋଲି ପ୍ରଶ୍ନ କରିଛନ୍ତି ଭକ୍ତ ଦାସ । ଏନେଇ ନବୀନ ଯଥୀ ଶୀଘ୍ର କ୍ଷମା ମାଗନ୍ତୁ । ଯଦି କ୍ଷମା ନ ମାଗନ୍ତି ତେବେ କଂଗ୍ରେସ ନବୀନ ଘେରାଉ କରିବ ବୋଲି ଚେତାଇ ଦେଇଛନ୍ତି ପିସିସି ସଭାପତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ଏପ୍ରିଲ ୧୧ ତାରିଖ ଦିନ ବିଜେଡି ନେତା ସଂତୃପ୍ତ ମିଶ୍ର ନେହେରୁଙ୍କ ସହ ପାଣ୍ଡିଆନଙ୍କୁ ତୁଳନା କରି କହିଥିଲେ, ନେହେରୁଙ୍କ ଭଳି ଓଡ଼ିଶା ରାଜନୀତିରେ ପାଣ୍ଡିଆନଙ୍କ ବ୍ୟକ୍ତିତ୍ଵ। ପାଣ୍ଡିଆନ ନିଜେ ତାଙ୍କ ଗୁରୁତ୍ୱ ସମ୍ପର୍କରେ ଜାଣି ନାହାନ୍ତି । ଯାହାକୁ ନେଇ ରାଜନୀତି ତେଜିଛି ।