ଭୁବନେଶ୍ୱର: ଓଡ଼ିଶା ପୋଲିସରେ ନୂତନ ସବ୍-ଇନ୍ସପେକ୍ଟର (SI) ମାନଙ୍କ ଯୋଗଦାନକୁ ନେଇ ରାଜ୍ୟରେ ରାଜନୀତି ସରଗରମ ହୋଇଉଠିଛି। ଶୁକ୍ରବାର ୩୩୬ ଜଣ ପ୍ରଶିକ୍ଷଣପ୍ରାପ୍ତ ଏସ୍.ଆଇ ପୋଲିସ ବାହିନୀରେ ସାମିଲ ହେବା ପରେ ଏହାକୁ ନେଇ ବିରୋଧୀ ଓ ଶାସକ ଦଳ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହି ନିଯୁକ୍ତିକୁ ନେଇ ସରକାରଙ୍କୁ ଘେରିଥିବାବେଳେ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏହାର କଡ଼ା ଜବାବ ଦେଇଛନ୍ତି।
ଓଡ଼ିଶା ପୋଲିସରେ ନୂତନ ନିଯୁକ୍ତିକୁ ସ୍ୱାଗତ କରିବା ସାଙ୍ଗେ ସାଙ୍ଗେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ କଟାକ୍ଷ କରିଥିଲେ। ସେ କହିଥିଲେ ଯେ, ଗୋଟିଏ ପଟେ ପୁରୁଣା ପ୍ରକ୍ରିୟାର ଫଳାଫଳକୁ ଆଧାର କରି ବର୍ତ୍ତମାନର ସରକାର ଶ୍ରେୟ ନେଉଛନ୍ତି, କିନ୍ତୁ ଅନ୍ୟପଟେ ପ୍ରଶ୍ନପତ୍ର ଲିକ୍ କାରଣରୁ ହଜାର ହଜାର ଯୁବକଯୁବତୀଙ୍କ ଭବିଷ୍ୟତ ଅନିଶ୍ଚିତତାରେ ପଡ଼ିଛି।
ବିଜେଡି ପକ୍ଷରୁ ପ୍ରଶ୍ନ କରାଯାଇଥିଲା ଯେ, ୨୦୨୫ରେ ବାତିଲ ହୋଇଥିବା କମ୍ବାଇନ୍ଡ ପୋଲିସ ସର୍ଭିସ୍ ପରୀକ୍ଷା ପୁନର୍ବାର କେବେ ଅନୁଷ୍ଠିତ ହେବ? ଏହାର ଏକ ସ୍ପଷ୍ଟ ରୋଡ୍ମ୍ୟାପ୍ ବା ପାନ୍ଥନିର୍ଦ୍ଦେଶ ସରକାର କାହିଁକି ଦେଉନାହାନ୍ତି? ଏହାସହ ପ୍ରଶ୍ନପତ୍ର ବିକ୍ରି ଓ ଲିକ୍ ଘଟଣାରେ ସଂପୃକ୍ତ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଦଳ ଦାବି କରିଥିଲା।
ମନ୍ତ୍ରୀ ସୁରେଶ ପୂଜାରୀଙ୍କ କାଉଣ୍ଟର
ନବୀନ ପଟ୍ଟନାୟକଙ୍କ ଏହି ବୟାନକୁ କଡ଼ା କାଉଣ୍ଟର କରିଛନ୍ତି ବରିଷ୍ଠ ବିଜେପି ନେତା तथा ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି ଯେ, ବିରୋଧୀଙ୍କର ସମାଲୋଚନା କରିବାର ପୂର୍ଣ୍ଣ ଅଧିକାର ରହିଛି, କିନ୍ତୁ ୨୪ ବର୍ଷ ଧରି କ୍ଷମତାରେ ରହିବା ପରେ ମଧ୍ୟ କାହିଁକି ଜନସାଧାରଣ ସେମାନଙ୍କୁ ପ୍ରତ୍ୟାଖ୍ୟାନ କଲେ, ପ୍ରଥମେ ତାହାର ଆତ୍ମସମୀକ୍ଷା କରିବା ଉଚିତ୍।
ନିଯୁକ୍ତି ପ୍ରକ୍ରିୟା ସ୍ୱଚ୍ଛତା ଉପରେ ଆଲୋକପାତ କରି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ସରକାର ସିଧାସଳଖ ଭାବେ କୌଣସି ପରୀକ୍ଷା ପରିଚାଳନା କରନ୍ତି ନაହିଁ। OPSC, OSSC କିମ୍ବା OSSSC ଭଳି ସ୍ୱାଧୀନ ସଂସ୍ଥାଗୁଡ଼ିକ ଏହି ପ୍ରକ୍ରିୟା ପରିଚାଳନା କରିଥାନ୍ତି ଏବଂ ସରକାର କେବଳ ଆବଶ୍ୟକତା ଅନୁଯାୟୀ ରିକ୍ୱିଜିସନ୍ ପଠାଇଥାନ୍ତି। ପୋଲିସ ଏସ୍.ଆଇ ପରୀକ୍ଷା କେବଳ ସଂପୃକ୍ତ ନିଯୁକ୍ତି ସଂସ୍ଥା ଦ୍ୱାରା ଧାର୍ଯ୍ୟ କରାଯିବ ବୋଲି ସେ କହିଛନ୍ତି। ତେବେ ରାଜ୍ୟର ଗୃହ ଓ ପୋଲିସ ବିଭାଗକୁ ଆହୁରି ଅଧିକ ସୁଦୃଢ଼ କରିବା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ ବୋଲି ସୁରେଶ ପୂଜାରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।