ନୂଆଦିଲ୍ଲୀ: ବ୍ୟବସାୟୀ ତଥା ସୋନିଆ ଗାନ୍ଧୀଙ୍କ ଜ୍ୱାଇଁ ରବର୍ଟ ଭଦ୍ରାଙ୍କୁ ୨୦୦୮ ମସିହାରେ ଜମି ହେରଫେର ଓ ମନି ଲଣ୍ଡ୍ରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଜେରା କରୁଛି । ଇଡିର ଏହି କାର୍ଯ୍ୟାନୁଷ୍ଠାନକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି ରବର୍ଟ ଭଦ୍ରା । ସେ ଅଭିଯୋଗ କରିଛନ୍ତି, ବିଜେପି ତଦନ୍ତକାରୀ ଏଜେନ୍ସିର ଦୁରୁପଯୋଗ କରୁଛି । ଜାଣିଶୁଣି କଂଗ୍ରେସକୁ ଟାର୍ଗେଟ୍ କରାଯାଉଛି । ଏହା ସବୁ ତେବେ ଆରମ୍ଭ ହେଲା ଯେବେ ସେ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଅତ୍ୟାଚାର ଉପରେ ସ୍ୱର ଉଠାଇଲେ ଏବଂ ରାଜନୀତିରେ ପାଦ ଦେବାକୁ ଇଚ୍ଛା ପ୍ରକାଶ କଲେ ।
ଏଏନଆଇ ସହ ଆଲୋଚନା ବେଳେ ଭଦ୍ରା କହିଛନ୍ତି, ଯେବେ କେହି ମୁଖ୍ୟମନ୍ତ୍ରୀ ପଦ ପାଇଁ ସମ୍ଭାବିତ ପ୍ରାର୍ଥୀ ହୋଇଯାଏ କିମ୍ବା କୌଣସି ପାର୍ଟି ଭଲ ପ୍ରଦର୍ଶନ କରୁଥାଏ ତେବେ ଏଜେନ୍ସି ତା ପଛରେ ପଡି ଯାଆନ୍ତି । କାହିଁକି କୌଣସି ବିଜେପି ମନ୍ତ୍ରୀ କିମ୍ବା ନେତାଙ୍କୁ ତ କେବେ ଇଡି ସମନ ଜାରି କରୁନି ? କଣ ବିଜେପିର ସବୁ ନେତା ନିର୍ଦ୍ଦୋଷ ? କଣ ସେମାନଙ୍କ ଉପରେ ଏମିତି କୌଣସି ଅଭିଯୋଗ ନାହିଁ ?
ସେ ଏହା ମଧ୍ୟ କହିଛନ୍ତି ଯେ, ତାଙ୍କୁ ସେହି ପୁରୁଣା ପ୍ରଶ୍ନ କରାଯାଉଛି, ଯାହାର ଉତ୍ତର ସେ ପୂର୍ବରୁ ୨୦୧୯ରେ ଦେଇ ସାରିଛନ୍ତି । ଏହାର କୌଣସି ଆଧାର ହିଁ ନାହଁ । ମୁଁ କୌଣସି ଭୁଲ୍ କାମ କରି ନାହିଁ । ଏହି କେସରେ ଖୋଦ୍ ବିଜେପିର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଦୁଇ ଥର ମୋତେ କ୍ଲିନ ଚିଟ୍ ଦେଇ ସାରିଛନ୍ତି । ପୁଣି ଏବେ ସମନ କଣ ପାଇଁ ବୋଲି ରବର୍ଟ ଭଦ୍ରା ପ୍ରଶ୍ନ କରିଛନ୍ତି ।
ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ କହିଛନ୍ତି, ନ୍ୟାସନାଲ ହେରାଲ୍ଡ କେସରେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ବିରୋଧରେ ଚାର୍ଜସିଟ୍ ଓ ମୋତେ ଇଡି ସମନ ସବୁ ଗୋଟିଏ ଦିନରେ ଘଟିଛି । ଏହା ବିଜେପିର ରାଜନୈତିକ କ୍ୟାମ୍ପେନ ଓ ଇଡିର ଦୁରୁପଯୋଗ । ଏହା କେବଳ ଗଣମାଧ୍ୟମକୁ ଦେଖାଇବାକୁ ଚେଷ୍ଟା କରାଯାଉଛି ଯେ, ଆମେ ଭୁଲ କରିଛୁ ।