ଭୁବନେଶ୍ୱର: ଆଜି ଏକଦିନିକିଆ ଗସ୍ତରେ ଓଡିଶା ଆସୁଛନ୍ତି କେନ୍ଦ୍ର ସଡ଼କ, ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ । ଭୁବନେଶ୍ୱର ବିମାନବନ୍ଦରରେ ସେ ଦିବା ୧୦ଟା ୩୦ମିନିଟ୍ରେ ଅବତରଣ କରିବେ । ଆଜିର ଦିନରେ ୪ ହଜାର କୋଟିରୁ ଅଧିକ ମୂଲ୍ୟର ୧୯ଗୋଟି ପ୍ରକଳ୍ପର ଶିଳାନ୍ୟାସ ସହିତ ଉଦଘାଟନ କାର୍ଯ୍ୟକ୍ରମରେ ସାମିଲ ହେବେ ନୀତିନ ।
ଭୁବନେଶ୍ୱର ବିମାନ ବନ୍ଦରରେ ଅବତରଣ ପରେ ସେ କଟକ ରେଭେନ୍ଶା ବିଶ୍ୱବିଦ୍ୟାଳୟ ଅଭିମୁଖେ ଯାତ୍ରା କରିବେ । ସେଠାରେ ରେଭେନ୍ସା ବିଶ୍ବବିଦ୍ୟାଳୟର ଇତିହାସ ବିଭାଗ ପୂର୍ବତନ ମୁଖ୍ୟମନ୍ତ୍ରୀ ଡ.ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ଏହି ଉତ୍ସବରେ କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀଙ୍କ ସମେତ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଏବଂ ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଉପସ୍ଥିତ ରହିବେ ।
ଏହାପରେ ଅପରାହ୍ନ ୩ଟା ସମୟରେ ବରମୁଣ୍ଡା ପଡିଆରେ ଉପସ୍ଥିତ ହୋଇ ଏକ କାର୍ଯ୍ୟକ୍ରମରେ ଯୋଗଦାନ କରିବା ସହିତ ୧୯ଟି ପ୍ରକଳ୍ପର ଶୁଭ ଉଦ୍ଘାଟନ କରିବେ । ଏହି ପ୍ରକଳ୍ପର ମୂଲ୍ୟ ୪ ହଜାର କୋଟିରୁ ଅଧିକ ଟଙ୍କା ରହିଛି । ତନ୍ମଧ୍ୟରୁ ୧୩ ଟି ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମ ରହିଛି । ୮୪୧ କୋଟି ବ୍ୟୟରେ ନିର୍ମିତ ଦୁଇ ଜାତୀୟ ରାଜପଥର ଲୋକାର୍ପଣ କରିବେ ନୀତିନ ।