ଭୁବନେଶ୍ୱର: ବିଜୁ ଜନତା ଦଳର କନ୍ଦଳ ରାଜଧାନୀ ରାଜ ରାସ୍ତାରେ ଗଡ଼ୁଛି । କେତେବେଳେ ପାଣ୍ଡିଆନ ସପକ୍ଷବାଦୀ ଓ ବିପକ୍ଷବାଦୀ ମୁହାଁମୁହଁ ତ ଆଉ କେତେବେଳେ ବରିଷ୍ଠ ଓ କନିଷ୍ଠଙ୍କ ମଧ୍ୟରେ ବିବାଦ । ଏହାରି ମଧ୍ୟରେ ପୁଣି ଏକ ବିବାଦ ମୁଣ୍ଡ ଟେକିଛି । ବିଜେଡି ରାଜ୍ୟ କାର୍ଯ୍ୟକାରିଣୀରୁ କର୍ପୋରେଟର୍ ଅମରେଶ ଜେନାଙ୍କୁ ବାଦ ଦିଆଯିବା ପରେ ବିଶୃଙ୍ଖଳା ସୃଷ୍ଟି ହୋଇଛି ।
ଅମରେଶ ଜେନାଙ୍କ ସମର୍ଥକମାନେ ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସ ବର୍ମାଙ୍କୁ ଦାୟୀ କରିଛନ୍ତି । ଗତକାଲି ରାତିରେ ଅମରେଶଙ୍କ ସମର୍ଥକମାନେ ସଞ୍ଜୟଙ୍କ ଖାରବେଳନଗର ସ୍ଥିତ ବାସଭବନ ସମ୍ମୁଖରେ ପହଁଛି ହୋହାଲ୍ଲା କରିଥିବା ଜଣାପଡ଼ିଛି ।
ଅନ୍ୟପକ୍ଷରେ ଦଳରେ ପରିଚାଳନା ଠିକ୍ ଭାବରେ ହେଉ ନ ଥିବା ନେଇ ବିଭିନ୍ନ ଗଣମାଧ୍ୟମ ସମ୍ମୁଖରେ ବୟାନ ରଖିଛନ୍ତି ଅମରେଶ ଜେନା । ଦଳରେ ଯେଉଁମାନେ କାମ କରୁଛନ୍ତି ସେମାନଙ୍କୁ ଅଣାଦେଖା କରାଯାଉଛି । ଯେଉଁ ୪ରୁ ୫ ଜଣଙ୍କୁ ଦାୟିତ୍ୱ ଦିଆଯାଇଛି ସେମାନେ ନିରପେକ୍ଷ ନୁହଁନ୍ତି ବୋଲି କହିଛନ୍ତି ଅମରେଶ । ସେମାନେ ନିଜକୁ ତର୍ଜମା ନ କରି ଅନ୍ୟ ଉପରେ ଦୋଷ ଲଦୁଛନ୍ତି । ଏଥିପାଇଁ ବିଦ୍ରୋହ ହେବ ଏବଂ ସଠିକ୍ ସମୟରେ ସେମାନଙ୍କର କଳା ଚିଠା ଖୋଲା ଯିବ ବୋଲି ଚେତାବନୀ ଦେଇଛନ୍ତି ଅମରେଶ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ଶନିବାର ଦଳର ସାଙ୍ଗଠନିକ ବୈଠକରେ ସଭାପତି ଘୋଷଣା ହେବା ସମୟରେ ବହୁ ନେତାଙ୍କୁ ଦେଖିବାକୁ ମିଳି ନ ଥିଲା । ଯେଉଁମାନେ ହୋଟେଲରେ ବୈଠକ କରିଥିଲେ ସେମାନଙ୍କୁ ଦେଖିବାକୁ ମିଳି ନ ଥିଲା । କାରଣ ଏହା ପୂର୍ବରୁ ଦଳର ସଭାପତି ନବୀନ ପଟ୍ଟାନୟକ ଗଣମାଧ୍ୟମ ସମ୍ମୁଖରେ ହୋଟେଲ୍ ବୈଠକକୁ ନାପସନ୍ଦ କରିଥିଲେ ।