ଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂଙ୍କ ଭାଇ ତଥା ପୂର୍ବତନ ବିଧାୟକ ଲକ୍ଷ୍ମଣ ସିଂ ପହଲଗାମ ଆତଙ୍କୀ ହମଲା ପରେ ନିଜ ପାର୍ଟିର ନେତୃତ୍ୱକୁ ତୀବ୍ର ସମାଲୋଚନା କରିଛନ୍ତି । ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ରବର୍ଟ ଭଦ୍ରାଙ୍କୁ ଅବୁଝା ମଣିଷ ବୋଲି କହିଛନ୍ତି । ଯଦି ମୋର ଏହି ବୟାନ ପାଇଁ ମୋତେ ପାର୍ଟିରୁ ବହିଷ୍କାର କରାଯାଏ, ତଥାପି ମୋର କୌଣସି ଆପତ୍ତି ନାହିଁ । କାରଣ ତାଙ୍କ ପାଇଁ ଦେଶର ସୁରକ୍ଷା ସର୍ବୋପରି ।
ରାଧୋଗଡରେ ଆୟୋଜିତ ଏକ ଶ୍ରଦ୍ଧାଞ୍ଜଳୀ ସଭାରେ ଲକ୍ଷ୍ମଣ ସିଂ କହିଛନ୍ତି, ଜମ୍ମୁ-କାଶ୍ମୀରର ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲାଙ୍କ ଆତଙ୍କବାଦୀଙ୍କ ସହ ସଂପର୍କ ଥାଇପାରେ । ତେଣୁ କଂଗ୍ରେସକୁ ଦାବି କରୁଛି ଯେ, ନ୍ୟାସନାଲ କନଫରେନ୍ସ ସହ ସମର୍ଥନ ତତ୍କାଳ ପ୍ରଭାବରୁ ପ୍ରତ୍ୟାହାର କରାଯାଉ । ମୁଁ ଏହି ପ୍ରସଙ୍ଗରେ କଂଗ୍ରେସରର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଚିଠି ଲେଖିବାକୁ ଯାଉଛି ।
ଲକ୍ଷ୍ମଣ ସିଂ ରବର୍ଟ ଭଦ୍ରାଙ୍କ ବୟାନକୁ ବହୁତ ବିପଦଜ୍ଜନକ ଦର୍ଶାଇଛନ୍ତି । ରବର୍ଟ ଭଦ୍ରା କହିଥିଲେ, ଆତଙ୍କବାଦୀ ଏଥିପାଇଁ ହମଲା କରୁଛନ୍ତି କାରଣ ମୁସଲମାନେ ନିଜକୁ ଦୁର୍ବଳ ଅନୁଭବ କରୁଛନ୍ତି । ଏହା ଉପରେ ପ୍ରତିକ୍ରିୟା ଦେଇ ଲକ୍ଷ୍ମଣ କହିଛନ୍ତି, ଏହା କେବଳ ଦାୟିତ୍ୱହୀନ ବୟାନ ନୁହେଁ ବରଂ ଦେଶର ସୁରକ୍ଷା ପ୍ରତି ବିପଦ ମଧ୍ୟ । କଂଗ୍ରେସକୁ କିଛି କହିବା ପୂର୍ବରୁ ୧୦ ଥର ଚିନ୍ତା କରିବା ଉଚିତ୍ । ନଚେତ୍ ଜନତା ନିର୍ବାଚନରେ ଏହାର ଜବାବ ଦେଇ ଦେବେ ।
ସେ ଏହା ମଧ୍ୟ କହିଛନ୍ତି ରାହୁଲ ଗାନ୍ଧୀ ଓ ରବର୍ଟ ଭଦ୍ରା ଉଭୟ ଅବୁଝା ମଣିଷ । ଉଭୟଙ୍କ ଏହି ଅବୁଝା ପାଇଁ ଦେଶକୁ ପରିଣାମ ଭୋଗିବାକୁ ପଡୁଛି । ଲକ୍ଷ୍ମଣ ସିଂଙ୍କ ଏହି ବୟାନ ରାଜନୀତିକୁ ବେଶ ସରଗରମ କରିଛି । କଂଗ୍ରେସରେ ତାଙ୍କର ସ୍ଥିତିକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇ ଯାଇଛି । ଉଲ୍ଲେଖନୀୟ ଲକ୍ଷ୍ମଣ ସିଂ ପ୍ରଥମେ କଂଗ୍ରେସରେ ଥିଲେ । ପରବର୍ତ୍ତୀ ସମୟରେ ବିଜେପିରେ ମିଶିଥିଲେ । ପୁଣି ସେ କଂଗ୍ରେସକୁ ଫେରିଥିଲେ ।